ମୁମ୍ବାଇ: ମହାରାଷ୍ଟ୍ରର ପୁଣେରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ବିଦ୍ୟୁତ ଟାୱାର ଉପରକୁ ଯାଇ ଇଲେକ୍ଟ୍ରିକ୍ ତାର ଚୋରି କରୁଥିଲେ | ଏହି ସମୟରେ ସେ ତଳେ ପଡ଼ିଯାଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଏହି ସମୟ ମଧ୍ୟରେ ସେଠାରେ ଉପସ୍ଥିତ ଥିବା ତାଙ୍କର ଦୁଇ ସାଥୀ ଭୟଭୀତ ହୋଇ ଯୁବକଙ୍କର ମୃତ୍ୟୁ ବିଷୟରେ କାହାକୁ ନ ଜଣାଇ ସେମାନେ ତାଙ୍କ ମୃତଦେହକୁ ପୋତି ଦେଇଥିଲେ। କୁହାଯାଉଛି ଯେ ପୁଣେର ସିହ୍ନାଗଡ ରୋଡ ଅଞ୍ଚଳର ବାସିନ୍ଦା ୨୨ ବର୍ଷୀୟ ବାସଭରାଜ ମଙ୍ଗ୍ରୁଲେଙ୍କ ମୃତଦେହ ମିଳିଥିଲା | ଏହାପରେ ଯେତେବେଳେ ପୁଲିସ ଅନୁସନ୍ଧାନ କଲା, ଏହି ଘଟଣା ସାମ୍ନାକୁ ଆସିଲା | ପରେ ପୁଲିସ ଉଭୟ ସାଙ୍ଗଙ୍କୁ ଗିରଫ କରିଥିଲା।
ପୁଲିସ କହିଛି ଯେ ତିନିଜଣ ବନ୍ଧୁ ଜୁଲାଇ ୧୩ରେ ଏକ ହାଇ ଟେନସନ୍ ବିଦ୍ୟୁତ୍ ଟାୱାରରୁ ତାର ଚୋରି କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ, ଟାୱାରରୁ ଖସିଯିବା ପରେ ବାସଭରାଜଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ଉଭୟ ଅଭିଯୁକ୍ତ ସୌରଭ ରେନୁସେ ଏବଂ ରୂପେଶ ୟେନପୁର ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଏକ ଜଙ୍ଗଲରେ ପୋତି ଦେଇଥିଲେ। ତେବେ ବାସଭରାଜ ଘରକୁ ନ ଫେରିବାରୁ ପରିବାର ଲୋକ ନିଖୋଜ ଅଭିଯୋଗ କରିଥିଲେ | ଏହାପରେ ପୁଲିସ ସନ୍ଦେହରେ ବାସଭରାଜଙ୍କର ଦୁଇ ସାଙ୍ଗଙ୍କୁ ପଚରାଉଚରା କରିଥିଲା | ଏହାପରେ ଦୁଇ ସାଙ୍ଗ ସତ ମାନିଯାଇଥିଲେ ଓ ଘଟଣା ବାବଦରେ କହିଥିଲେ | ଏହି ଘଟଣାରେ ପୁଲିସ ଅଧିକ ତଦନ୍ତ କରୁଛି। କୁହାଯାଉଛି ଯେ ତମ୍ବା ତାର ଚୋରି କରିବା ପାଇଁ ବାସଭରାଜ ଏବଂ ତାଙ୍କ ସାଙ୍ଗମାନେ ବିଦ୍ୟୁତ୍ ଟାୱାରରେ ଚଢିଥିଲେ। ତେବେ ବାସଭରାଜ ୧୦୦ ଫୁଟ ତଳକୁ ଖସିପଡିଥିଲେ | ଯେଉଁଥିପାଇଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା |