ଉତ୍ତର ପ୍ରଦେଶ ସରକାର ଅଯୋଧ୍ୟାରେ ଏକ ଶହେ ମିଟର ଉଚ୍ଚତା ବିଶିଷ୍ଟ ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବାର ଯୋଜନା କରିଛନ୍ତି।ଉତ୍ତର ପ୍ରଦେଶର ରାଜଭବନରୁ ପ୍ରାପ୍ତ ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାର ସରଜୁ ନଦୀ ନିକଟରେ ଏହି ଭବ୍ୟ ରାମ ମୂର୍ତ୍ତି ନିର୍ମାଣ କରିବାକୁ ଯୋଜନା କରିଛନ୍ତି।
ଏ ସଂପର୍କରେ ଉତ୍ତର ପ୍ରଦେଶର ରାଜ୍ୟପାଳ ରାମ ନାଏକଙ୍କୁ ଉତ୍ତର ପ୍ରଦେଶର ପର୍ଯ୍ୟଟନ ବିଭାଗ ଏକ ପ୍ରସ୍ତାବ ଉପସ୍ଥାପନ କରିଛି। ରାଜ୍ୟରେ ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଲାଗି ଉର୍ଦ୍ଦିଷ୍ଟ ବୋଲି ଏଥିରେ କୁହାଯାଇଛି।ପର୍ଯ୍ୟଟନ ବିଭାଗ ରାମାୟଣରେ ବିଭିନ୍ନ କେନ୍ଦ୍ରୀୟ ସ୍ଥାନ ଓ ସ୍ମାରକୀ ପ୍ରତିଷ୍ଠା କରିବାର ମଧ୍ୟ ଯୋଜନା ରଖିଛନ୍ତି।‘ନବ୍ୟ ଅଯୋଧ୍ୟା’ ଯୋଜନା ଅନୁଯାୟୀ ଏହି ଯୋଜନାର ରୂପରେଖ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି ବୋଲି ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଅବନୀଶ କୁମାର ଅବସ୍ଥି ସୂଚନା ଦେଇଛନ୍ତି।
ଏଥିରେ ଅଯୋଧ୍ୟାରେ ଆଗାମୀ ଅକ୍ଟୋବର ୧୮ ତାରିଖରେ ହେବାକୁ ଥିବା ଦୀପାବଳି ମହୋତ୍ସବର ଆୟୋଜନ ସଂପର୍କରେ ମଧ୍ୟ ସୂଚନା ଦିଆଯାଇଛି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ରାମ ନାଏକ,ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କେ.ଜେ. ଆଲଫନ୍ସ ଓ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଉପସ୍ଥିତ ରହିବେ ବୋଲି ଜଣାଯାଇଛି।
ସରଜୁ ନଦୀ ତଟରେ ରାମକଥା ଗ୍ୟାଲେରିର ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯିବ।ଅଯୋଧ୍ୟାର ଏହି ସମନ୍ଵିତ ବିକାଶ ପାଇଁ ରାଜ୍ୟ ସରକାର ୧୯୫ କୋଟି ୮୯ ଲକ୍ଷ ଟଙ୍କାର ଏକ ଅଟ୍ଟକଳ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟକୁ ପ୍ରଦାନ କରିଛନ୍ତି ଏବଂ ଏଥିରୁ ୧୩୩ କୋଟି ୭୦ ଲକ୍ଷ ଟଙ୍କା ରାଜ୍ୟକୁ ମିଳିସାରିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/adityanath-zee.jpg)