ପ୍ରଭୁ ଶ୍ରୀରାମ ସମସ୍ତଙ୍କର: ମୋଦୀ

ତମ୍ବୁ ତଳେ ଥିବା ପ୍ରଭୁଙ୍କୁ ମନ୍ଦିର ମିଳିଯିବ

ଆମ ମହାନ ପରମ୍ପରାର ପ୍ରତୀକ ହୋଇ ରହିବ ଅଯୋଧ୍ୟା, ୫/୮: ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କର ପ୍ରସ୍ତାବିତ ଭବ୍ୟ ମନ୍ଦିରର ଶିଳାପୂଜନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଟି କୋଟି ଦେଶବାସୀଙ୍କୁ ବଧାଇ ଜଣାଇଛନ୍ତି। ସେହିପରି ବିଶ୍ବବ୍ୟାପୀ ରହୁଥିବା ଅସଂଖ୍ୟ ପ୍ରବାସୀ ଭାରତୀୟ ଓ ସମସ୍ତ ଶ୍ରଦ୍ଧାଳୁଙ୍କୁ ମଧ୍ୟ ଏହି ବିରଳ ସଫଳତା ପାଇଁ ସାଧୁବାଦ ଜଣାଇଛନ୍ତି। ୧୯୪୯ ମସିହାରେ ଉକ୍ତ ବିବାଦୀୟ ସ୍ଥଳରେ ରାମଲାଲା ସ୍ଥାପିତ ହେଲା ପରଠାରୁ ମୋଦୀ ହିଁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ରାମ ଜନ୍ମଭୂମିସ୍ଥଳରେ ପହଞ୍ଚି ଭକ୍ତିନୈବେଦ୍ୟ ଅର୍ପଣ କରିଛନ୍ତି। ବୈଦିକ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ମୋଦୀଙ୍କ ସହିତ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲ, ରାମମନ୍ଦିର ଟ୍ରଷ୍ଟ୍‌ର ଅଧ୍ୟକ୍ଷ ନୃତ୍ୟଗୋପାଳ ଦାସ ଏବଂ ପୁରୋହିତମାନେ ଏହି ଶିଳାନ୍ୟାସ ଉତ୍ସବ ସଂପନ୍ନ କରିଥିଲେ।

ଆମ ମହାନ ପରମ୍ପରାର ପ୍ରତୀକ ହୋଇ ରହିବ ଅଯୋଧ୍ୟା
ଅସ୍ତିତ୍ବ ଲୋପ ପାଇଁ ଉଦ୍ୟମ ହୋଇଥିଲା
ନୂଆ ଇତିହାସ ସୃଷ୍ଟି ହେଉଛି ଏବଂ ଇତିହାସର ପୁନରାବୃତ୍ତି ହେଉଛି
ମନ୍ଦିର ଦେଶକୁ ଏକତା ସୂତ୍ରରେ ବାନ୍ଧିବ

ଶିଳାନ୍ୟାସ ପରେ ଏକ ସମାବେଶରେ କୋଭିଡ୍‌ କଟକଣା ମାନି ସେଠାରେ ଠୁଳ ହୋଇଥିବା ସୀମିତ ସଂଖ୍ୟକ ଅତିଥି, ସାଧୁ ସନ୍ଥ ଏବଂ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ମୋଦୀ ଉଦ୍‌ବୋଧନ ଦେଇଥିଲେ। ‘ଜୟ ସିୟାରାମ’ ଧ୍ବନିରେ ନିଜର ଅଭିଭାଷଣ ଆରମ୍ଭ କରି ଏହି ଧ୍ବନି କେବଳ ଅଯୋଧ୍ୟାରେ କାହିଁକି, ସାରା ବିଶ୍ବରେ ଗୁଞ୍ଜରିତ ହେଉଛି ବୋଲି କହିଥିଲେ। ସେହିପରି ପ୍ରଭୁ ଶ୍ରୀ ରାମଲାଲା ବର୍ଷ ବର୍ଷ ଧରି ଏକ ତମ୍ବୁ ଭିତରେ ପୂଜା ପାଇ ଆସୁଥିବା ବେଳେ ଏଣିକି ସେ ତାଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ବାଟ ଫିଟାଇଦେଇଛନ୍ତି ବୋଲି ମୋଦୀ କହିଥିଲେ।

ଶତାବ୍ଦୀ ଶତାବ୍ଦୀ ଧରି ଭଙ୍ଗାଗଢ଼ାର ଦ୍ବନ୍ଦ୍ବ ଭିତରେ ସନ୍ତୁଳି ହେଉଥିବା ରାମ ଜନ୍ମଭୂମି ଏଥର ମନଲାଖି ନିର୍ମାଣଟିଏ ଦେଖିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଥିଲେ ଯେ ଏହି ମନ୍ଦିର ନିର୍ମାଣ ଦ୍ବାରା କେବଳ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉନାହିଁ, ଇତିହାସର ପୁନରାବୃତ୍ତି ମଧ୍ୟ ଘଟୁଛି। ଯେପରି ପ୍ରଭୁ ଶ୍ରୀରାମଙ୍କୁ ଶବରମାନେ ଓ ନାଉରିଆ ସହାୟତା କରିଥିଲେ, ଯେପରି ଶିଶୁମାନେ ଶ୍ରୀକୃଷ୍ଣଙ୍କୁ ଗୋବର୍ଦ୍ଧନ ଗିରି ଟେକିବାରେ ସହଯୋଗ କରିଥିଲେ ସେହିପରି ପ୍ରତ୍ୟେକଙ୍କ ସହାୟତାରେ ହିଁ ଏହି ମନ୍ଦିର ସମ୍ପୂର୍ଣ୍ଣ ହୋଇପରାରିବ। ପ୍ରଭୁ ଶ୍ରୀରାମଙ୍କ ଶାସନରେ ସାମାଜିକ ସଂହତି ହିଁ ପ୍ରମୁଖ ଉପାଦାନ ରହିଥିବାରୁ ରାମମନ୍ଦିର ନିର୍ମାଣ ହିଁ ଦେଶକୁ ଏକତାସୂତ୍ରରେ ବାନ୍ଧି ରଖିବ। ଉକ୍ତ ସ୍ଥାନର ଅସ୍ଥିତ୍ବକୁ ଲିଭାଇ ଦେବା ଲାଗି ଅତୀତରେ ଅନେକ ପ୍ରଚେଷ୍ଟା ହୋଇଛି, ମାତ୍ର ପ୍ରଭୁ ଶ୍ରୀରାମ ଭାରତୀୟ ସଂସ୍କୃତିର ଆଧାର ହୋଇ ରହି ଆସିଛନ୍ତି। ପ୍ରଭୁ ଶ୍ରୀରାମ ସମସ୍ତଙ୍କର। ସେ ଆମ ହୃଦୟରେ ରହିଛନ୍ତି ଏବଂ ଆମେ ଯାହା ବି କରୁଛନ୍ତି ସବୁ ତାଙ୍କରି ପ୍ରେରଣା ବଳରେ ସମ୍ଭବ ବୋଲି ମୋଦୀ କହିଛନ୍ତି। ସେହିପରି ଏହି ମନ୍ଦିର ନିର୍ମାଣ ପଛରେ ଅନେକ ଉତ୍ସର୍ଗ, ସଂଘର୍ଷ ଓ ସମାଧାନ ଭରି ରହିଛି। ଯେଉଁମାନଙ୍କ ଉତ୍ସର୍ଗ ବଳରେ ଆଜି ଏହା ସମ୍ଭବ ହୋଇପାରିଛି ସେମାନଙ୍କୁ ସେ ମଥାପାତି ପ୍ରଣାମ କରିଛନ୍ତି । ଏହି ମନ୍ଦିର ଆମ ଉଚ୍ଚକୋଟୀର ପରମ୍ପରାର ଆଧୁନିକ ପ୍ରତୀକ ହୋଇ ରହିବା ସହ ଆମର ଭକ୍ତି ଓ ଜାତୀୟ ଭାବାବେଗକୁ ଇଙ୍ଗିତ କରିଚାଲିଥିବ। ସେହିପରି କୋଟି କୋଟି ଶ୍ରଦ୍ଧାଳୁଙ୍କର ସାମୂହିକ ସଂକଳ୍ପକୁ ଏହା ପ୍ରତିପାଦନ କରିବା ସହ ଆଗାମୀ ପିଢ଼ି ପାଇଁ ଏହା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମୋଦୀ କହିଛନ୍ତି।

ଭୂମି ପୂଜନ ପରେ ରାଷ୍ଟ୍ରପତିଙ୍କ ବାର୍ତ୍ତା
ରାମ ମନ୍ଦିରର ଆଧାର ଶିଳା ରଖାଯିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ୍‌ କରି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଏହି ମନ୍ଦିର ପରିସର ରାମରାଜ୍ୟର ଆଦର୍ଶ ଉପରେ ଆଧାରିତ ଆଧୁନିକ ଭାରତର ପ୍ରତୀକ ପାଲଟିବ। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ ପ୍ରକ୍ରିୟା ନ୍ୟାୟପ୍ରକ୍ରିୟା ଅନୁଯାୟୀ ଏବଂ ଲୋକଙ୍କ ସଦଭାବନାରେ ନିର୍ମାଣ ହେବାକୁ ଯାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ସମ୍ବନ୍ଧିତ ଖବର