ନୂଆଦିଲ୍ଲୀ: ଜାତୀୟ ରାଜପୁତ କରନି ସେନାର ରାଷ୍ଟ୍ରୀୟ ସଭାପତି ସୁଖଦେବ ସିଂହ ଗୋଗାମେଡ଼ି ହତ୍ୟା ମାମଲାରେ ବୁଧବାର ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ପୁଣି ଥରେ ଦାୟୀ କରି କହିଛି ଯେ ମୃତ ସୁଖଦେବ ସିଂହ ସିଦ୍ଧୁ ମୁସେୱାଲାଙ୍କ ନିକଟତର ଥିଲେ, ତେଣୁ ତାଙ୍କୁ ହତ୍ୟା କରାଯାଇଥିଲା। ପ୍ରତିଶୋଧ ନେବା ପାଇଁ ସୁଖଦେବଙ୍କୁ ହତ୍ୟା କରାଯାଇଥିବା କୁହାଯାଇଛି। ତେବେ ଏହି ଘଟଣାକୁ ନେଇ କ'ଣ ପ୍ରତିଶୋଧ ନିଆଯାଇଥିଲା ତାହା ନିର୍ଦ୍ଦିଷ୍ଟଭାବେ କୁହାଯାଇନାହିଁ।

Advertisment

ସେପଟେ ପୁଲିସ ଏହି ହତ୍ୟାକାଣ୍ଡ ଘଟାଇଥିବା ୨ ଜଣ ସୁଟରଙ୍କ ଫଟୋ ଜାରି କରିଛି । ସେମାନେ ହେଉଛନ୍ତି ମକ୍ରାନାର ରୋହିତ ରାଠୋର ଏବଂ ଅନ୍ୟଜଣେ ହରିୟାଣାର ମହେନ୍ଦ୍ରଗଡ଼ର ବାସିନ୍ଦା ନୀତିନ ଫୌଜି।

ସୁଖଦେବ ସିଂ ଗୋଗାମେଡିଙ୍କୁ ବୁଧବାର ଶ୍ୟାମନଗର ଅଞ୍ଚଳରେ ଥିବା ତାଙ୍କ ଘରେ ଅଜ୍ଞାତ ବ୍ୟକ୍ତିମାନେ ଗୁଳି କରି ହତ୍ୟା କରିଛନ୍ତି। ସାକ୍ଷାତ ବାହାନାରେ ୪ରୁ ୫ ଜଣ ଯୁବକ ଘରକୁ ଆସିଥିଲେ। ସେମାନେ ପ୍ରାୟ ୧୦ ମିନିଟ୍ ଘରେ ବିତାଇଥିଲେ ଏବଂ ପରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ତରବରିଆ ଭାବେ ତାଙ୍କୁ ନିକଟସ୍ଥ ମେଟ୍ରୋ ମାସ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣା ଘରେ ଲାଗିଥିବା ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି।