ୱାସିଂଟନ୍‌: ଲସ୍‌ଏଞ୍ଜେଲ୍ସ ବନାଗ୍ନି ପାଇଁ ପ୍ରଳୟଙ୍କରୀ ସ୍ଥିତି ଉପୁଜିଛି। ତିନି ଦିନ ପରେ ବି ଜଙ୍ଗଲ ନିଆଁ ଥମୁନି ଏବଂ ସହରର ଅନେକ ଅଂଚଳ ଛାରଖାର ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୧୦ ହଜାରରୁ ଅଧିକ ଘର ଜଳି ଯାଇଛି।  ଆଲ୍‌ଟାଡେନା ଏବଂ ପାସାଡେନାରେ ୧୩,୬୯୦ ଏକର  ଅଂଚଳର  ଜଙ୍ଗଲ ଜଳିଯାଇଛି ଏବଂ ହଜାର ହଜାର ନିର୍ମାଣ ନଷ୍ଟ ହୋଇଯାଇଛି। ୧ ଲକ୍ଷ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଲସ୍‌ଏଞ୍ଜେଲ୍‌ସ ଓ ଭେଣ୍ଟୁରା କାଉଣ୍ଟି ସୀମା ନିକଟରେ ୯୬୦ ଏକର ଜଙ୍ଗଲ ଜଳି ଯାଇଛି।  ଅଗ୍ନି ନିର୍ବାପକ ଦଳ ନିଆଁକୁ ଆୟତ୍ତ କରିବାପାଇଁ ସବୁ ଚେଷ୍ଟା ଜାରି ରଖିଛନ୍ତି। ଦ୍ରୁତ ଗତିରେ ନିଆଁ ଲିଭାଇବାପାଇଁ ଚେଷ୍ଟା ଜାରି ରହିଥିଲେ ମଧ୍ୟ ପାଣିର ଚାପ କମ୍‌ ରହିବା ଯୋଗୁଁ   ଏହା ବାଧା ସୃଷ୍ଟି କରୁଛି।

Advertisment

୧୯,୯୭୮ ଏକର ଅଞ୍ଚଳ ଛାରଖାର
ମୃତ୍ୟୁ ସଂଖ୍ୟା ୧୦ ଟପିଲା

ସହରର ଜଳ ଯୋଗାଣ ପଦ୍ଧତି ବନାଗ୍ନିକୁ ଦୃଷ୍ଟି‌ରେ ରଖି ନିର୍ମାଣ କରାଯାଇ ନଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।  ତେବେ ବନାଗ୍ନି ମଧ୍ୟରେ ଲୁଟ୍‌ ଘଟଣା ମଧ୍ୟ ବଢ଼ିଛି। ଏଭଳି ମାମଲାରେ ପୁଲିସ ୨୦ରୁ ଅଧିକ ‌ଲୁଟେରାଙ୍କୁ ଗିରଫ କରିଛି। ଏଥିପାଇଁ କର୍ଫ୍ୟୁ ଘୋଷଣା କରାଯାଇଛି।   ପାଣିପାଗ ସେବା ପକ୍ଷରୁ ସତର୍କ କରାଯାଇଛି ଯେ ଦକ୍ଷିଣ କାଲିଫର୍ଣ୍ଣିଆରେ କିଛି ଦିନ ପର୍ଯ୍ୟନ୍ତ  ଏଭଳି ସ୍ଥିତି ଜାରି ରହିବ।  ଅଧିକାରୀମାନେ କହିଛନ୍ତି, ଆଗକୁ ମୃତ୍ୟୁସଂଖ୍ୟା ବହୁତ ବଢ଼ିବ କାରଣ ଅଗ୍ନି ନିର୍ବାପକ ଦଳ ଅନେକ ସ୍ଥାନରେ ଏଯାବତ ପହଞ୍ଚି ପାରିନାହାନ୍ତି।  ହଲିଉଡ୍‌ର ଅନେକ ହାଇ ପ୍ରୋଫାଇଲ୍‌ ‌ସେଲିବ୍ରିଟିଙ୍କ ଘର  ସଂପୂର୍ଣ୍ଣ ଜଳିଯାଇଛି।