ସିଲ୍କିୟାରା: ଗତ ୭ ଦିନ ଧରି ସିଲ୍କିୟାରା ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରୁ ମନଜିତ ଲାଲ ଅନ୍ୟତମ। ମୁମ୍ବାଇର ଏକ ନିର୍ମାଣ ସ୍ଥଳରେ ବର୍ଷେ ତଳେ ବଡ଼ ପୁଅକୁ ହରାଇଥିବା ତାଙ୍କ ବାପା ଚୌଧୁରୀ ଲାଲ ଏବେ ତାଙ୍କ ପୁଅ ପାଇଁ ପ୍ରାର୍ଥନା କରୁଛନ୍ତି। ଉତ୍ତରକାଶୀର ସୁଡ଼ଙ୍ଗ ବାହାରେ ଠିଆ ହୋଇ ସେ ଶୁକ୍ରବାର କହିଛନ୍ତି, ମୋର ୩୬ ବର୍ଷର ବଡ଼ ପୁଅ ମୁମ୍ବାଇର ଏକ ଉଚ୍ଚ କୋଠାରେ କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିଲା। ଏବେ ମୋର ଏକମାତ୍ର ବଞ୍ଚିଥିବା ପୁଅକୁ ହରାଇବାର ଦୁଃଖ ମୁଁ ସହ୍ୟ କରିପାରିବି ନାହିଁ। ଉତ୍ତରପ୍ରଦେଶର ଏକ ଗାଁର ଏହି ପରିବାର ୨୨ ବର୍ଷୀୟ ମନଜିତଙ୍କ ଉଦ୍ଧାର ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

Advertisment

ଚୌଧୁରୀଙ୍କ ସାନ ଭାଇ ଶତ୍ରୁଘ୍ନ ଲାଲ ମଧ୍ୟ ତାଙ୍କ ପୁତୁରାଙ୍କ ପାଇଁ ଚିନ୍ତିତ ଅଛନ୍ତି। ମନଜିତଙ୍କର ଦୁଇ ଭଉଣୀ ଅଛନ୍ତି ଏବଂ ତାଙ୍କ ମା’ ଏକ ପ୍ରାଥମିକ ସରକାରୀ ବିଦ୍ୟାଳୟରେ ରୋଷେୟା। ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି। ଆମେ କେବଳ ଏତିକି ଚାହୁଛୁ ଯେ ମନଜିତ ଘରକୁ ଫେରିଆସୁ ବୋଲି କହିଛନ୍ତି ଶତ୍ରୁଘ୍ନ ଲାଲ। ଫସି ରହିଥିବା ଅଧିକାଂଶ ଶ୍ରମିକଙ୍କ ପରିବାରକୁ ଅଧିକାରୀଙ୍କଠାରୁ ଆଶ୍ୱାସନା ମିଳିଛି ଯେ ଟନେଲରେ ଫସିଥିବା ସେମାନଙ୍କ ସମ୍ପର୍କୀୟମାନେ ସୁସ୍ଥ ଅଛନ୍ତି। ମନଜିତଙ୍କ ବାପା ପୁଅକୁ ଘରକୁ ନେବାକୁ ଆସିଥିବା କହିବାରୁ ଟନେଲ ଭିତରୁ ତାଙ୍କ ପୁଅ ଉତ୍ତର ଦେଇଥିଲେ, ବାପା, ଚିନ୍ତା କର ନାହିଁ। ମୁଁ ଭଲ ଅଛି। ତେବେ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ଘଟଣାସ୍ଥଳରେ ଏକାଠି ହୋଇଥିବା ପରିବାର ଲୋକେ ଧୈର୍ଯ୍ୟ ରଖି ପାରୁନାହାନ୍ତି। ଶତ୍ରୁଘ୍ନ କହିଛନ୍ତି, ଆମେ ଆଶା କରୁଛୁ ଯେ ଫସିଥିବା ଶ୍ରମିକମାନେ ପ୍ରକୃତରେ ଭଲ ଅଛନ୍ତି। କିନ୍ତୁ ସେମାନଙ୍କ ସ୍ୱାସ୍ଥ୍ୟର ପ୍ରକୃତ ସ୍ଥିତି ବିଷୟରେ କିଏ ଜାଣେ? ଆମେ କେମିତି ଜାଣିପାରିବା ଯେ ସେମାନେ ପ୍ରକୃତରେ ଭଲ ଅଛନ୍ତି?