କ୍ଷତିରେ ଚାଲୁଥିବା ‘ଏୟାର ଇଣ୍ଡିଆ’ର ପାଇଲଟଙ୍କ ଦରମା ବଢ଼ିଲା ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ : ବିପୁଳ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ନେଇ ବର୍ତ୍ତମାନ ସରକାର ଚିନ୍ତାରେ ଥିବାବେଳେ କମ୍ପାନୀ ଉପରେ ଏହାର କିଛି ଫରକ ପଡୁନଥିବା ଭଳି ଲାଗୁଛି। ଆର୍ଥିକ ସ୍ଥିତି ଖରାପ ଥିବା ବେଳେ ଅଚାନକ ଏୟାର ଇଣ୍ଡିଆ ଜାହାଜର ପାଇଲଟ ମାନଙ୍କ ଦରମାରେ ୧୨ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନେଇ ଆଶ୍ଚର୍ଯ୍ୟ ଲାଗୁଛି।

ସୁଚନା ମୁତାବକ ୧୦୦ ପାଇଲଟଙ୍କୁ କମ୍ପାନୀ ତରଫରୁ ପ୍ରମୋସନ ମିଳିବା ସହ ତାଙ୍କ ଦରମାରେ ବୃଦ୍ଧି ହେବାକୁ ଯାଉଛି। ଏହି ପାଇଲଟମାନଙ୍କୁ ପ୍ରମୋସନ ଦିଆଯାଇ ଏକଜିକ୍ୟୁଟିଭ ର୍ୟାଙ୍କ ଦେବାକୁ କମ୍ପାନୀ ସ୍ଥିର କରିଛି। ବର୍ତ୍ତମାନ ସରକାର ଏୟାର ଇଣ୍ଡିଆର ଘରୋଇକରଣ ପାଇଁ ଚେଷ୍ଟା ଜାରି ରଖିଛନ୍ତି। କମ୍ପାନୀ କଥାକୁ ଘୋଡାଇବାକୁ ଯାଇ ଏହି ପାଇଲଟମାନଙ୍କୁ ୧୦ ବର୍ଷ ହେଲା ପ୍ରମୋସନ ଦିଆଯାଇନଥିବା କଥା କହିଛି କିନ୍ତୁ ଅଚାନକ ଦରମା ବୃଦ୍ଧି ପୁଣି କମ୍ପାନୀର ଆର୍ଥିକ ସ୍ଥିତି ଖରାପ ଥିବା ସମୟରେ ଶୁଣିବାକୁ ଅଜବ ଲାଗୁଛି।

ଦୁଇଦିନ ପୂର୍ବରୁ ସରକାର ଭିଭିଆପି ଜାହାଜ କିଣିବା ଏବଂ ଏହାର ସାଜସଜ୍ଜା ପାଇଁ ନ୍ୟାସନାଲ ସ୍ମଲ୍‌ ସେଭିଙ୍ଗ ଫଣ୍ଡସ ଆକାଉଣ୍ଟରୁ ଏୟାର ଇଣ୍ଡିଆକୁ ପଇସା ଦେଇଥିବାର କଥା ଘୋଷଣା କରିଥିଲେ। ଗତବର୍ଷ ଜୁନ ମାସରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଏୟାର ଇଣ୍ଡିଆକୁ ଘରୋଇକରଣ କରିବା ନିମନ୍ତେ ମଂଜୁରୀ ଦେଇଥିଲା। ଚଳିତ ବର୍ଷ ଏୟାର ଇଣ୍ଡିଆକୁ ୪୯ ପ୍ରତିଶତ ବିଦେଶୀ ନିବେଶକୁ କ୍ୟାବିନେଟ ମଂଜୁରୀ ମିଳିଛି । ଏୟାର ଇଣ୍ଡିଆର ୬ ସବସିଡିଆରିରୁ ୩ଟିର ଅବସ୍ଥା ଖରାପ ରହିଛି । ୨୦୧୨ ମସିହାରୁ ଏବେ ପର୍ଯ୍ୟନ୍ତ ସରକାର ୨୩ ହଜାର କୋଟି ଟଙ୍କାର ପୁଞ୍ଜି ଏହି କମ୍ପାନୀରେ ଲଗାଇ ସାରିଛନ୍ତି।

ସମ୍ବନ୍ଧିତ ଖବର