୬ ବର୍ଷ ବୟସରେ ରାଜନୈତିକ ହିଂସାରେ ନିଜର ଗୋଡ଼ ହରାଇଥିବା ଶିଶୁ ଏବେ ଜଣେ ଡ଼ାକ୍ତର

କନୁର : ଗୋଟିଏ ଗୋଡ଼ ନଥାଇ ମଧ୍ୟ ନିଜର ଚେଷ୍ଟା ଏବଂ ଇଚ୍ଛା ଶକ୍ତି ହେତୁ କେରଳର କନୁର୍‌ରେ ରହୁଥିବା ଜଣେ ଯୁବତୀ ଆଜି ଡ଼ାକ୍ତର ହୋଇ ପାରିଛନ୍ତି । ଜୀବନର ସଂଘର୍ଷକୁ ପିଠି ନ ଦେଖାଇ ତା’ର ସାମ୍ନା କରିବା ସହ ସଫଳତା ହାସଲ କରି ଦେଖାଇଛନ୍ତି ଏହି ଯୁବତୀ । ଏ କାହାଣୀ ହେଉଛି କନୁର୍‌ର ପୂଭାଥୁର୍‌ରେ ରହୁଥିବା ଆସ୍‌ନାଙ୍କର । ତାଙ୍କୁ ଯେତେବେଳେ ବୟସ ୬ ବର୍ଷ ହୋଇଥିଲା ସେ କେବେ ଭାବି ନ ଥିଲେ କି ତାଙ୍କ ସହ ଏପରି କିଛି ଘଟିବ । ୨୦୦୦ମସିହାରେ ଘଟିଥିବା ଘଟଣା ତାଙ୍କ ଜୀବନର ମୋଡ଼କୁ ପୂରା ବଦଳାଇ ଦେଇଥିଲା । ୨୦୦୦ରେ ହୋଇଥିବା ଏକ ଦଳୀୟ ସଂଘର୍ଷର ଶିକାର ହୋଇ ସେ ନିଜ ଡ଼ାହାଣ ଗୋଡ଼ ହରାଇ ବସିଥିଲେ ।

ସୂଚନା ମୁତାବକ, ତାଙ୍କ ବାପା ନାନୁ ଜଣେ କଂଗ୍ରେସ କର୍ମୀ ହୋଇଥିବା ବେଳେ ବିରୋଧୀ ଦଳର ନେତାମାନେ କୌଣସି କାରଣରୁ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ । ସେହି ସମୟରେ ଆସ୍‌ନା ବାହାରେ ଖେଳୁଥିବାରୁ ସେ ସେହି ଆକ୍ରମଣର ଶିକାର ହୋଇଥିଲୋ । ଏହି ଆକ୍ରମଣ ପରେ ସେ ତାଙ୍କ ଡ଼ାହାଣ ଗୋଡ଼ ହରାଇ ଥିବାରୁ ତାଙ୍କୁ ଡ଼ାକ୍ତରଖାନା ନିଆଯାଇ କୃତ୍ରିମ ଗୋଡ଼ ଲଗା ଯାଇଥିଲା । ଧୀରେ ଧୀରେ ବଡ଼ ହେବା ସହ ପ୍ରାୟ ୨୦ଟି କୃତ୍ରିମ ଗୋଡ଼ ବଦଳା ଯାଇ ଲଗା ଯାଇଥିଲା । ଏତେ ସବୁ ଅସୁବିଧା ସତ୍ତ୍ୱେ ମଧ୍ୟ ସେ ହାରି ନ ଯାଇ ସ୍କୁଲ ସରିବା ପରେ ଡ଼ାକ୍ତରୀ ପାଠ ପଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

indiatimes.com

୨୦୧୩ରେ ତାଙ୍କ ଆଶା ସଫଳ ହେବା ସହ ସେ ଡ଼ାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କୋଝିକୋଡ଼େ ମେଡ଼ିକାଲ କଲେଜରେ ନାମ ଲେଖାଇଥିଲେ । ପଢ଼ା ଆରମ୍ଭ ହେବା ପରେ ବାଧକ ସାଜିଲା ତାଙ୍କ ଗୋଡ଼ । କୃତ୍ରିମ ଗୋଡ଼ ପାଇଁ ତାଙ୍କୁ କଲେଜର ୩ ମହଲା ଉପରକୁ ଚଢ଼ିବା ଅସୁବିଧା ହୋଇଥିଲା । କିନ୍ତୁ ଆସ୍‌ନାଙ୍କ ଏହି ସମସ୍ୟାା ସମାଧାନ କରିଥିଲେ ରାଜ୍ୟ ସରକାର । ତାଙ୍କର ସୁବିଧା ପାଇଁ କଲେଜରେ ଲିପ୍ଟ୍‌ର ବ୍ୟବସ୍ଥା କରାଯାଇଥିଲା । ଶେଷରେ ଏତେ ସବୁ କଷ୍ଟର ଫଳ ତାଙ୍କୁ ମିଳିଛି ବୋଲି ସେ କହିଛନ୍ତି । ଶନିବାର ଏମ୍‌ବିବିଏସ୍‌ ପରୀକ୍ଷାରେ ସେ ଡ଼ିସ୍‌ଟିଣ୍ଟ୍‌କ୍‌ସନ ସହ ଉତ୍ତୀର୍ଣ୍ଣ ହେବା ପରେ ସରକାର ଏବଂ ପରିବାର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର