ନୂଆଦିଲ୍ଲୀ: ପ୍ରାୟ ସବୁ ଭାରତୀୟ ଜାଣିଛନ୍ତି ଯେ ପଦ୍ମ ହେଉଛି ଆମ ଦେଶର ଜାତୀୟ ଫୁଲ। ସରକାରୀ େଓ୍ଵବ୍ସାଇଟ୍ରେ ମଧ୍ୟ କୁହାଯାଇଛି ଯେ ପଦ୍ମ ହେଉଛି ଆମର ଜାତୀୟ ଫୁଲ। ହେଲେ, ଏହା ସଂପୂର୍ଣ୍ଣ ଭୁଲ୍। ପଦ୍ମ ଆମର ଜାତୀୟ ଫୁଲ ନୁହେଁ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ଏଯାବତ୍ ସରକାରୀ ଭାବେ କୌଣସି ବି ଫୁଲକୁ ଜାତୀୟ ଫୁଲର ମାନ୍ୟତା ଦିଆଯାଇ ନାହିଁ। ଏହି ସତ୍ୟ ଏବେ ପଦାକୁ ଆସିଛି ସୂଚନା ଅଧିକାର ଆଇନ୍ (ଆର୍ଟିଆଇ) ସାହାଯ୍ୟରେ ମଗା ଯାଇଥିବା ଏକ ପ୍ରଶ୍ନର ଉତ୍ତରରୁ। ଆର୍ଟିଆଇ ବଳରେ ମଗା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ବଟାନିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ବିଏସ୍ଆଇ) ସ୍ପଷ୍ଟ କରିଛନ୍ତି ଯେ ପଦ୍ମ ଆମର ଜାତୀୟ ଫୁଲ ନୁହେଁ।
ଲକ୍ଷ୍ନୌର ଜନୈକା ଏକାଦଶ ଶ୍ରେଣୀର ଛାତ୍ରୀ ଐଶ୍ୱର୍ଯ୍ୟା ପରାଶର ଆର୍ଟିଆଇ ସାହାଯ୍ୟରେ ମାଗିଥିବା ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଏସ୍ଆଇ କର୍ତ୍ତୃପକ୍ଷ ଏକଥା କହିଛନ୍ତି। ଆର୍ଟିଆଇ ସାହାଯ୍ୟରେ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟକୁ ମାଗିଥିବା ଏକ ପ୍ରଶ୍ନରେ ଐଶ୍ୱର୍ଯ୍ୟା ଜାଣିବାକୁ ଚାହିଁଥିଲେ ଯେ ପଦ୍ମ ଫୁଲକୁ କ’ଣ ପ୍ରକୃତରେ ଜାତୀୟ ଫୁଲର ମାନ୍ୟତା ମିଳିଛି କି?
/sambad/media/post_attachments/wp-content/uploads/2017/11/FI3-640x336-300x158.jpg)
ଏ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବଟାନିକାଲ୍ ସର୍ଭେ ଅଫ୍ ଇଣ୍ଡିଆର ମୁଖ୍ୟ ସୂଚନା ଅଧିକାରୀ ତାପସ କୁମାର ଘୋଷ ଲିଖିତ ଭାବେ କହିଛନ୍ତି ଯେ ବିଏସ୍ଆଇ ପକ୍ଷରୁ ଏଯାବତ୍ କେବେ ବି କୌଣସି ଫୁଲକୁ ଜାତୀୟ ଫୁଲର ମାନ୍ୟତା ପ୍ରଦାନ କରିନାହିଁ। କିମ୍ବା କୌଣସି ଫୁଲକୁ ବିଏସ୍ଆଇ ଜାତୀୟ ଫୁଲ ଭାବେ ଘୋଷିତ ମଧ୍ୟ କରିନାହିଁ।
ଅନ୍ୟପକ୍ଷରେ ଏହି ରୋଚକ ତଥ୍ୟକୁ ପଦାକୁ ଆଣିଥିବା ଛାତ୍ରୀ ଐଶ୍ୱର୍ଯ୍ୟା କହିଛନ୍ତି ଯେ ଅନ୍ୟମାନଙ୍କ ପରି ମୁଁ ପିଲାଟି ବେଳୁ ଜାଣି ଆସିଥିଲି ଯେ ପଦ୍ମ ହେଉଛି ଆମର ଜାତୀୟ ଫୁଲ। ଭାରତ ସରକାରଙ୍କ ସରକାରୀ େଓ୍ଵବସାଇଟ୍ରେ ପଦ୍ମକୁ ମଧ୍ୟ ଆମର ଜାତୀୟ ଫୁଲ ବୋଲି କୁହାଯାଇଛି। ତେବେ, ଏହା ସଂପୂର୍ଣ୍ଣ ଭୁଲ୍। ଏକଥା ଏବେ ସ୍ପଷ୍ଟ ହୋଇଛି ବିଏସ୍ଆଇ ପକ୍ଷରୁ ମିଳିଥିବା ଉତ୍ତରରୁ।
ତେଣୁ, ସରକାର ଏବେ ତାଙ୍କର େଓ୍ଵବ୍ସାଇଟ୍କୁ ସଂଶୋଧନ କରନ୍ତୁ ନଚେତ୍ ପଦ୍ମକୁ ସରକାରୀ ଭାବେ ଜାତୀୟ ଫୁଲର ମାନ୍ୟତା ପ୍ରଦାନ କରି, ପଦ୍ମ ଆମର ଜାତୀୟ ଫୁଲ ବୋଲି ଘୋଷଣା କରନ୍ତୁ ବୋଲି ଦାବୀ କରିଛନ୍ତି। ନଚେତ୍, ଏ ସନ୍ଦର୍ଭରେ ଜାତୀୟ ଫୁଲକୁ ନେଇ ରହିଥିବା ଭ୍ରାନ୍ତିକୁ ଦୂର କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିବେ ବୋଲି ମଧ୍ୟ ଗଣମାଧ୍ୟମକୁ କହିଛନ୍ତି।