ଅହମଦାବାଦ: ବିମାନ ଦୁର୍ଘଟଣା କାଲି ହୋଇଥିଲା କିନ୍ତୁ ଆଜି ବି ଜାରି ରହିଛି ଦୁର୍ଘଟଣା ପରର ସେ ଆତଙ୍କ… ସବୁଠି ଭୟର ବାତାବରଣ । କାନ୍ଦକାନ୍ଦ ଆଖି ଓ କୋଳାହଳ ଭିତରେ ଶବର ଭିଡ । ସବୁଠି ଶୂନ୍ୟତା ଆଉ ହରାଇବାର ସ୍ପଷ୍ଟ ଚିହ୍ନ । କାହା ଆଖିରେ କାଲିଠୁ ଶୁଖୁନି ଲୁହ ତା କାହା ଆଖିରୁ ନଈଟିଏ ବହିଆସି ତା ଗାଲରେ ଶୁଖିଯାଇଥିବାର ଚିହ୍ନ ଛାଡି ଯାଇଛି ଯେମିତି ମୃତ୍ୟୁର ବିମାନ ଅହମଦାବାଦରେ ପଦଚିହ୍ନ ଛାଡିଛି ।

Advertisment

ବିମାନ ଦୁର୍ଘଟଣା ପରେ ପୂରା ଅଞ୍ଚଳ ଛାରଖାର । ମୃତ୍ୟୁର ତାଣ୍ଡବ ମାତ୍ର ୩୦ ସେକେଣ୍ଡରେ ହିଁ ଥିଲା ହେଲେ ସେତିକି ହିଁ ନେଇଗଲା ୨୬୫ ଜୀବନ । ଜାଳିପୋଡି ପାଉଁଶ କରିଦେଲା ବିମାନ, ଆଉ ମେଡିକାଲ କଲେଜର ପରିସରରେ ହାହାକାର ଖେଳିଗଲା । କ୍ୟାଣ୍ଟିନ ଭିତରେ ଖାଉଥିବା ବେଳେ ମୃତ୍ୟୁ ଖସି ଖାଇବା ଛଡେଇ ନେଲା । ପୂରା ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ ପରେ ପରେ ନିଆଁ ଓ ଧୂଆଁରେ କଳାପଡିଗଲା ପରିବେଶ । ଅଚାନକ ଏଭଳି ଆତଙ୍କଙ୍କୁ ଗ୍ରହଣ କରିପାରିନଥିଲେ ଲୋକେ ।

ଦୁର୍ଘଟଣାସ୍ଥଳରେ ପଡିଛି ବିମାନର ଭଗ୍ନାଂଶ । ଜଳିପୋଡି ଅଙ୍ଗାର ହୋଇଯାଇଥିବା ବିମାନର ଅଂଶରେ ଲାଗିଛି ରକ୍ତର ଛିଟା । କେଉଁଠି ଛିଟକି ପଡିଥି ବ୍ୟାଗ୍, ତ କେଉଁଠି ପୋଡି ଯାଇଛି କୁନି କୁନି ପିଲାଙ୍କ ଖେଳନା । ଜଳିଯାଇଛି ଡାଏରୀ, କଳା ପଡିଯାଇଛି ସ୍ବାମୀ ପିନ୍ଧାଇଥିବା ବିବାହର ସାକ୍ଷୀ ମଙ୍ଗଳସୂତ୍ର । ପକେଟରେ ବର୍ଷ ବର୍ଷ ଧରି ସାଇତି ଥିବା ପତ୍ନୀର ଶେଷ ଫଟୋ ବି ବୃଦ୍ଧ ସ୍ବାମୀର ପର୍ସରେ ପୋଡି ପାଉଁଶ ହୋଇଛି । ୨୬୫ ଜଣଙ୍କ ସହ ଜଳିପୋଡି ଯାଇଛି କେତେ ସ୍ମୃତି, କେତେ କଥା, କେତେ ଆଶା… 

ଏପଟେ ଯେଉଁମାନେ ଆତ୍ମୀୟଙ୍କୁ ହରାଇଛନ୍ତି ସେମାନେ ମେଡିକାଲରେ କାନ୍ଦି କାନ୍ଦି ମୁର୍ଚ୍ଛା ଯାଉଛନ୍ତି । ସେମାନଙ୍କ ଲୁହ ଲୁହା ପରି ଥିବା ଗୋଟେ ମଣିଷର ମନକୁ ବି ତରଳେଇ ଦେବ । ବିମାନ ଦୁର୍ଘଟଣାରେ ମୋଟ୍ ୨୬୫ ଜଣଙ୍କ ଜୀବନ ଯାଇଥିବା ସ୍ପଷ୍ଟ ହୋଇଛି । ଆଉ ନିଜ ପ୍ରିୟଜନଙ୍କ ମୃତଦେହ ନେବାପାଇଁ ଅହମ୍ମଦାବାଦ ମେଡିକାଲରେ ସମ୍ପର୍କୀୟଙ୍କ ଗହଳି ଲାଗିଲାଣି । ଦୁର୍ଘଟଣା ପରେ ବିସ୍ଫୋରଣ ପାଇଁ ଅଧିକାଂଶ ମୃତଦେହ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଆଉ ପରିଚୟ ପାଇଁ ଡିଏନଏ ପରୀକ୍ଷା କରାଯାଉଛି । 

ସେପଟେ ଯେଉଁ ମୃତକଙ୍କ ପରିଚୟ ମିଳିଛି, ସେମାନଙ୍କ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଉଛି । ଏପଟେ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଆହତଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସକାଳ ପ୍ରାୟ ୮ଟା ୩୦ରେ ଅହମ୍ମଦାବାଦ ବିମାନ ବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ସେଠାରୁ ସିଧା ସିଭିଲ ହସ୍ପିଟାଲ ଯାଇ ଆହତଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି। ପରେ ବିମାନ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ । ବିମାନ ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଯାଇଛି । ଦୁର୍ଘଟଣାସ୍ଥଳରେ ଏନଏସଜି ଟିମ୍ ଓ ଫରେନସିକ୍ ଟିମ୍ ମଧ୍ୟ ପହଞ୍ଚି କାରଣ ଖୋଜିବାକୁ ତଦନ୍ତ କରୁଛନ୍ତି । ବ୍ଲାକ ବକ୍ସରୁ ଦୁର୍ଘଟଣାର କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି ।