‘ପ୍ରାର୍ଥନା କରିବା ପାଇଁ ଲାଉଡସ୍ପିକର ବାଧ୍ୟତାମୂଳକ ନୁହେଁ’: ଉତ୍ତରପ୍ରଦେଶର ଦୁଇ ମସଜିଦରେ ଲାଉଡସ୍ପିକର ଲଗାଇବା ନିମନ୍ତେ ଅନୁମତି ଦେବାକୁ ମନାକଲେ ଆହ୍ଲାବାଦ ହାଇକୋର୍ଟ

ପ୍ରୟାଗରାଜ : ଆଜାନ ନିମନ୍ତେ ଲାଉଡସ୍ପିକର ଲଗାଇବା ଲାଗି ଉତ୍ତରପ୍ରଦେଶର ଦୁଇଟି ମସଜିଦ କରିଥିବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି ।
ନିଜ ରାୟରେ ହାଇକୋର୍ଟ କହିଛନ୍ତି ଯେ ପ୍ରାର୍ଥନା କରିବା ପାଇଁ କୌଣସି ଧର୍ମରେ ଲାଉଡସ୍ପିକର ଲଗାଇବା ବା ଢୋଲପିଟିବା ବାଧ୍ୟତାମୂଳକ କରାଯାଇନାହିଁ । ଏପରି କରିବା ଦ୍ୱାରା ଶବ୍ଦ ପ୍ରଦୂଷଣ ହୋଇଥାଏ ଓ ତାହା ଅନ୍ୟମାନଙ୍କ ଅଧିକାରର ମଧ୍ୟ ହନନ ହୋଇଥାଏ ।
ଉତ୍ତରପ୍ରଦେଶର ଏକ ଗାଁରେ ଏହି ଦୁଇଟି ମସଜିଦ ରହିଛି । ତେବେ ସାଂପ୍ରଦାୟିକ ଉତ୍ତେଜନା କାରଣରୁ ସ୍ଥାନୀୟ ଏକ କୋର୍ଟ ଲାଉଡସ୍ପିକର ଲଗାଇବା ଉପରେ ନିଷେଧାଜ୍ଞା ଲଗାଇଥିଲେ । ତେବେ ଏହା ବିରୁଦ୍ଧରେ ଉଭୟ ମସଜିଦ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ନିଜ ଆବେଦନରେ ସେମାନେ ଦର୍ଶାଇଥିଲେ ଯେ ଲାଉଡସ୍ପିକର ଲଗାଇବା ସେମାନଙ୍କ ଧାର୍ମିକ ପରମ୍ପରାର ଅଂଶବିଶେଷ । ଜନସଂଖ୍ୟା ବଢିଥିବାରୁ ଲାଉଡସ୍ପିକର ମାଧ୍ୟମରେ ସମସ୍ତଙ୍କୁ ଆଜାନ ପାଇଁ ସୂଚୀତ କରାଯାଇଥାଏ । ଏଣୁ ସେମାନଙ୍କୁ ଦିନକୁ ଦୁଇଥର ଲାଉଡ ସ୍ପିକର ବଜାଇବାକୁ ଅନୁମତି ଦିଆଯାଉ । କିନ୍ତୁ ଏହାକୁ ଖାରଜ କରି ଜଷ୍ଟିସ ପଙ୍କଜ ମିତ୍ତଲ ଓ ଜଷ୍ଟିସ ବିପିନ ଚନ୍ଦ୍ର ଦିକ୍ଷିତ କହିଥିଲେ ଯେ ସମ୍ବିଧାନର ଧାରା ୨୫(୧) ଅନୁସାରେ ସମସ୍ତଙ୍କୁ ନିଜ ନିଜର ଧର୍ମ ପାଳନର ଅଧିକାର ରହିଛି । କିନ୍ତୁ ଏହି ଅଧିକାର ଅସୀମ ନୁହେଁ । ସାମାଜିକ ସଦ୍ଭାବ ଓ ଶୃଙ୍ଖଳା ରକ୍ଷା ମଧ୍ୟ ସରକାର ଓ କୋର୍ଟଙ୍କ ଦାୟିତ୍ୱ ।

ସମ୍ବନ୍ଧିତ ଖବର