ନିୟମ କଡ଼ାକଡି କଲେ ମହାରାଷ୍ଟ୍ର ସରକାର, ଲାଉଡସ୍ପିକରକୁ ଲଗାଇବା ପୂର୍ବରୁ ନେବାକୁ ହେବ ଅନୁମତି

ମୁମ୍ବାଇ: ଘନଉଛି ଲାଉଡସ୍ପିକର ବିବାଦ। ପୂୂର୍ବରୁ ଏନେଇ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଏବେ ଏହି ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ର ସରକାର ସକ୍ରିୟ ହୋଇପଡିଛନ୍ତି। ସୂଚନାନୁସାରେ, ମହାରାଷ୍ଟ୍ରର ସମସ୍ତ ଧାର୍ମିକ ସ୍ଥାନରେ ଲାଉଡସ୍ପିକର ଲଗାଇବା ପୂର୍ବରୁ ବର୍ତ୍ତମାନ ସରକାରଙ୍କ ଅନୁମତି ଆବଶ୍ୟକ ହେବ। ବିନା ଅନୁମତିରେ ଲାଉଡସ୍ପିକର ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱଲସେ ପାଟିଲ ଆଜି ଲାଉଡସ୍ପିକର ପ୍ରସଙ୍ଗରେ ମହାରାଷ୍ଟ୍ରର ଡିଜିପିଙ୍କ ସହ ଏକ ବୈଠକ କରିବେ। ସମସ୍ତ ପୁଲିସ କମିଶନର ଏବଂ ଅଧିକାରୀଙ୍କ ସହିତ ସାକ୍ଷାତ କରି ସେମାନଙ୍କୁ ଏହି ନିୟମ ଲାଗୁ ନେଇ ଆଦେଶ ଦେଇପାରନ୍ତି ବୋଲି କୁହାଯାଉଛି। ଗୃହମନ୍ତ୍ରୀ ଦିଲୀପ ୱଲସେ ପାଟିଲଙ୍କ ତରଫରୁ କୁହାଯାଇଛି ଯେ ରାଜ୍ୟର ଡିଜିପି ଲାଉଡସ୍ପିକର ପ୍ରସଙ୍ଗରେ ସମସ୍ତ ପୁଲିସ କମିଶନରଙ୍କ ସହ ଆଲୋଚନା କରିବେ ଏବଂ ଏକ ଗାଇଡଲାଇନ ପ୍ରସ୍ତୁତ କରାଯାଇ ସମସ୍ତଙ୍କୁ ଦିଆଯିବ। ରାଜ୍ୟରେ ଆଇନ ଶୃଙ୍ଖଳାର ଉଲଂଘନ କରିବାକୁ କାହାକୁ ଅନୁମତି ଦିଆଯିବ ନାହିଁ।

ଅନ୍ୟପକ୍ଷରେ ନାଶିକ୍ ପୁଲିସ୍ କମିଶନର କହିଛନ୍ତି ଯେ ଆସନ୍ତା ମେ’ ୩ ତାରିଖ ସୁଦ୍ଧା ସମସ୍ତ ଧାର୍ମିକ ସ୍ଥାନରେ ଲାଉଡସ୍ପିକର ଲଗାଇବା ପୂର୍ବରୁ ଅନୁମତି ନେବାକୁ ପଡିବ। ସମସ୍ତ ଧାର୍ମିକ ସ୍ଥାନ ମଧ୍ୟରେ ମନ୍ଦିର, ଗୁରୁଦ୍ୱାର, ମସଜିଦ, ଚର୍ଚ୍ଚ ଇତ୍ୟାଦି ଅନ୍ତର୍ଭୁକ୍ତ। ଲାଉଡସ୍ପିକର ଲଗାଇବା ପୂର୍ବରୁ କରିବାକୁ ସମସ୍ତଙ୍କୁ ଲିଖିତ ଅନୁମତି ନେବାକୁ ପଡିବ। ପୁଲିସ କମିଶନରଙ୍କ କାର୍ଯ୍ୟାଳୟରୁ ଲିଖିତ ଅନୁମତି ପାଇବା ପରେ ଧାର୍ମିକ ସ୍ଥାନରେ ଲାଉଡସ୍ପିକର ଲଗାଯାଇପାରିବ। ବିନା ଅନୁମତିରେ ମେ ୩ ପରେ କୌଣସି ଧାର୍ମିକ ସ୍ଥାନରେ ଲାଉଡସ୍ପିକର ଲଗାଇଲେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ ଲାଉଡସ୍ପିକର ଜବତ କରାଯିବ।

ସମ୍ବନ୍ଧିତ ଖବର