ନୂଆଦିଲ୍ଲୀ: ରଙ୍ଗ ମହୋତ୍ସବ ସମୟରେ ତାଙ୍କର ଯାହା ହୋଇଥାଉ ପଛେ ସେ ଭାରତକୁ ଭଲ ପାଆନ୍ତି ଏବଂ ସେଦିନର ଭିଡିଓ ଯୋଗୁଁ ଅପମାନ ବୋଧ କରୁଥିବା ବ୍ୟକ୍ତିଙ୍କୁ ସେ କ୍ଷମା ମାଗୁଛନ୍ତି ବୋଲି ଶନିବାର ଦିନ ଟୁଇଟ୍ କରି ହୋଲି ଦିନ ଦିଲ୍ଲୀର ପହାଡ଼ଗଞ୍ଜରେ ଅସଦାଚରଣର ସରବ୍ୟ ହୋଇଥିବା ଜାପାନୀ ତରୁଣୀଜଣକ କହିଛନ୍ତି।
ଶନିବାର ଦିନ ଜାପାନୀ ଭାଷାରେ ପୋଷ୍ଟ୍ କରିଥିବା କେତେଗୁଡ଼ିଏ ଟୁଇଟ୍ରେ ତରୁଣୀଜଣକ କହିଛନ୍ତି କି, ମୂଳ ଭିଡିଓଟି ସେ ପୋଷ୍ଟ୍ କରିଥିଲେ, କିନ୍ତୁ ତାହା ଭାଇରାଲ୍ ହୋଇଯିବାରୁ ଭୟଭୀତ ହୋଇ ଡିଲିଟ୍ କରି ଦେଇଥିଲେ।
ସେ ଜାପାନୀ ତରୁଣୀଙ୍କ କହିବା ଅନୁସାରେ, ହୋଲି ସମୟରେ ବାହାରକୁ ବାହାରିବା ଜଣେ ମହିଳାଙ୍କ ପକ୍ଷେ ବିପଜ୍ଜନକ ବୋଲି ସେ ଶୁଣିଥିଲେ। ଦଳେ ପୁରୁଷ ତାଙ୍କ ସହିତ ଅସଦାଚରଣ କରିବା ସହିତ ଜବଦସ୍ତି ତାଙ୍କ ଦେହରେ ରଙ୍ଗ ବୋଳିବା ସମୟରେ ସେ ତାଙ୍କର ୩୫ଜଣ ସାଥୀଙ୍କ ସହିତ ଥିଲେ। ବିନା କୌଣସି ଉଦ୍ଦେଶ୍ୟରେ ତାଙ୍କର ଜଣେ ଜାପାନୀ ବନ୍ଧୁ ସେତେବେଳେ ଭିଡିଓ ଉତ୍ତୋଳନ କରିପକାଇଥିଲେ। ହୋଲି ବିଷୟରେ କୌଣସି ନକାରାତ୍ମକ ବାର୍ତ୍ତା ଦେବା ତାଙ୍କର ଉଦ୍ଦେଶ୍ୟ ନ ଥିଲା।
ସେ ଆହୁରି ମଧ୍ୟ ଲେଖିଛନ୍ତି, ହୋଲି ମହୋତ୍ସବ ହେଉଛି ଚମତ୍କାର ଏବଂ ମଜାଦାର ପାରମ୍ପରିକ ପର୍ବ। ବର୍ଣ୍ଣ ଓ ସାମାଜିକ ପ୍ରତିପତ୍ତି ନିର୍ବିଶେଷର ପରସ୍ପର ଉପରେ ଅବିର ଓ ରଙ୍ଗପାଣି ପକାଇ ବସନ୍ତର ଆଗମନକୁ ପାଳନ କରିବା ହେଉଛି ଏହାର ଉଦ୍ଦେଶ୍ୟ।
/sambad/media/post_attachments/wp-content/uploads/2023/03/ph-1.jpg)
ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ଭରସା ବ୍ୟକ୍ତ କରି ସେ କହିଛନ୍ତି ଯେ, ଭାରତର ସବୁ କିଛି ତାଙ୍କୁ ଭଲ ଲାଗେ ଏବଂ ସେ ଅନେକ ଥର ଭାରତକୁ ଆସିଛନ୍ତି। ଭାରତ ଏଡ଼େ ଚମତ୍କାର ଦେଶ ଯେ, ଏଭଳି ଏକ ଘଟଣା ଘଟିଲେ ବି ଆପଣ ଭାରତକୁ ଘୃଣା କରିପାରିବେ ନାହିଁ।
ଉଲ୍ଲେଖଯୋଗ୍ୟ, ହୋଲି ସମୟରେ ଜଣେ ଜାପାନୀ ମହିଳାଙ୍କ ସହିତ ଅସଦାଚରଣ କରିଥିବା ଘଟଣାରେ ଜଣେ ନାବାଳକ ସମେତ ଦିଲ୍ଲୀ ପୁଲିସ ୩ଜଣଙ୍କୁ ଗିରଫ କରିଛି। ପହାଡ଼ଗଞ୍ଜ ଅଞ୍ଚଳରେ ହୋଲି ଖେଳ ସମୟରେ ରଙ୍ଗ ମାରିବା ବାହାନାରେ ଏହି ତରୁଣମାନେ ଉକ୍ତ ଜାପାନୀ ମହିଳାଙ୍କ ସହିତ ଅସଦାଚରଣ କରିଥିଲେ। ସେ ସମୟର ଦୃଶ୍ୟ ଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ସେମାନଙ୍କୁ ଧରାଯାଇଛି।
ସାମାଜିକ ଗଣମାଧ୍ୟରେ ପ୍ରସାରିତ ହେଉଥିବା ଭିଡିଓରେ ଦେଖାଯାଉଛି, ଦଳେ ଲୋକ ‘ହୋଲି ହୈ’ ଚିତ୍କାର କରି ବ୍ୟତିବ୍ୟସ୍ତ ହେଉଥିବା ଜଣେ ମହିଳାଙ୍କୁ ଘେରିପେରି ଟଣାଓଟରା କରି ରଙ୍ଗ ମାରୁଛନ୍ତି। ଲୋକମାନଙ୍କ ମଧ୍ୟରୁ କିଏ ଜଣେ ସେ ମହିଳାଙ୍କ ମୁଣ୍ଡରେ ଅଣ୍ଡାଟିଏ ପିଟି ଭାଙ୍ଗୁଥିବା ବି ଦେଖାଯାଉଛି। ଶେଷରେ ଦେଖାଯାଉଛି ମହିଳାଜଣକ ରଙ୍ଗରେ ଏମିତି ବୁଡ଼ିଯାଇଛନ୍ତି ଯେ, ତାଙ୍କୁ ଚିହ୍ନିବା ସମ୍ଭବ ହେଉନାହିଁ।
ପୁଲିସ କହିବା ଅନୁସାରେ, ମହିଳାଜଣକ ହେଉଛନ୍ତି ଜେଣ ଜାପାନୀ ପର୍ଯ୍ୟଟକ। ସେ ଜାତୀୟ ରାଜଧାନୀର ପହାଡ଼ଗଞ୍ଜରେ ଥିବା ଏକ ହୋଟେଲ୍ରେ ରହୁଥିଲେ। ଏବେ ସେ ବାଂଲାଦେଶ ଚାଲିଯାଇଛନ୍ତି। ପହାଡ଼ଗଞ୍ଜ ଥାନାରେ ଏ ସଂକ୍ରାନ୍ତରେ କୌଣସି ମୌଖିକ ବା ଲିଖିତ ଅଭିଯୋଗ ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/holi-2.jpg)