ନୂଆଦିଲ୍ଲୀ: ଦିଲ୍ଲୀର ଏକ ସରକାରୀ ସ୍କୁଲ୍‌ ମୁଖ୍ୟ ଫାଟକ ନିକଟରେ 'ଆଇ ଲଭ୍ ମନୀଷ ସିସୋଦିଆ' ଲେଖା ଥିବା ବ୍ୟାନର ଲଗାଇଥିବାରୁ ପୁଲିସ ଉତ୍ତର-ପୂର୍ବ ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଥିବା ଏହି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିଛି। ଶୁକ୍ରବାର ସକାଳେ ବ୍ୟାନର ଲଗାଯିବା ପରେ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଥିଲେ। ସେମାନେ ପୁଲିସରେ ଅଭିଯୋଗ କରିଥିଲେ ଯେ କିଛି ଆପ୍‌ କାର୍ଯ୍ୟକର୍ତ୍ତା ଏହି ବ୍ୟାନର ଲଗାଇଛନ୍ତି। ସ୍ଥାନୀୟ ବାସିନ୍ଦା ଦିବାକର ପାଣ୍ଡେ ଅଭିଯୋଗ କରିଛନ୍ତି ଯେ ଆପ୍‌ କାର୍ଯ୍ୟକର୍ତ୍ତା ସ୍କୁଲରୁ ଏକ ଡେସ୍କ ବାହାରକୁ ଆଣିଥିଲେ। ଏହା ଉପରେ ଚଢ଼ି ବ୍ୟାନରକୁ ବାନ୍ଧିଥିଲେ। ସ୍କୁଲ ପରିଚାଳନା କମିଟି (ଏସ୍‌ଏମ୍‌ସି) ସଂଯୋଜକ ସ୍କୁଲ ପ୍ରିନ୍ସପାଲଙ୍କ ସହ ମିଶି ବିଦ୍ୟାଳୟ ଫାଟକରେ ବ୍ୟାନର ବାନ୍ଧିବାରେ ସାହାଯ୍ୟ କରିଥିଲେ। ସ୍ଥାନୀୟ ଲୋକଙ୍କ ସହ ଅଭିଭାବକମାନେ ଏହାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଛି।