ପ୍ରଥମେ ବିବାହ ପ୍ରତିଶ୍ରୁତି, ପରେ ଧୋକା, ବିହାରରେ ନାବାଳିକାକୁ ଜାଳିଦେଲା ପ୍ରେମିକ

ପାଟନା : ବିହାରରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାକୁ ତା’ ପ୍ରେମିକ ଜାଳି ଦେଇଛି। ବିହାରର ବେଟିଆ ଜିଲ୍ଲାରେ ଗତ ରାତି‌ରେ ଏହି ଘଟଣା ଘଟିଛି। ପୀଡ଼ିତା ନାବାଳିକାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଛି। ସୂଚନାନୁଯାୟୀ ନାବାଳିକା ୧ ମାସର ଗର୍ଭବତୀ ଅଛନ୍ତି। ସେ ତାଙ୍କ ପ୍ରେମିକଙ୍କ ଦ୍ବାରା ଯୌନ ନିର୍ଯାତନାର ଶିକାର ହୋଇଥିଲେ। ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ପ୍ରେମିକ ଶାରୀରିକ ସମ୍ପର୍କ ରଖିଥିଲା, ପରେ ନାବାଳିକା ଗର୍ଭବତୀ ହେବାରୁ ତାଙ୍କୁ ମାରିବା ପାଇଁ ଯୋଜନା କରିଥିଲା। ଗତକାଲି ପୀଡ଼ିତା ଘରେ ଏକାକୀ ଥିବା ସମୟରେ ଅଭିଯୁକ୍ତ ଏବଂ ତା’ର ୨ ଜଣ ସାଥୀ ତାଙ୍କ ଘରେ ପଶି ପୀଡ଼ିତା ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ପଡ଼ୋଶୀମାନେ ଏ ସଂପର୍କରେ ଜାଣିବା ପରେ ପୀଡ଼ିତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନା ନେଇଥିଲେ। ସେଠାରୁ ତାଙ୍କୁ ପାଟନା ପଠାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୀଡ଼ିତାଙ୍କ ଶରୀର ୮୦ ପ୍ରତିଶତ ଜଳି ଯାଇଥିବା ଜଣାପଡ଼ିଛି।

ଏହି ଘଟଣାର ତଦନ୍ତ ପ୍ରକ୍ରିୟ ତ୍ବରାନ୍ବିତ ହୋଇଛି ଏବଂ ପୁଲିସ ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟମାନଙ୍କୁ ଧରିବାପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଆଜି ରାତି ୧୦ଟା ସୁଦ୍ଧା କେହି ଗିରଫ ହୋଇନାହାନ୍ତି। ବିହାରରେ ଗତ ଦୁଇଦିନ ତଳେ ମଧ୍ୟ ଅନ୍ୟ ଜଣେ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା ଏବଂ‌ ସେ ଏହାର ବିରୋଧ କରିବାରୁ ତାଙ୍କୁ ଜାଳି ଦିଆଯାଇଥିଲା।

ସମ୍ବନ୍ଧିତ ଖବର