ନୂଆଦିଲ୍ଲୀ: ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି(ଆପ୍‌) ସହ ମେଣ୍ଟ କରି କଂଗ୍ରେସ ନିର୍ବାଚନ ଲଢ଼ୁଥିବା ବେଳେ ଏହାକୁ ନେଇ କଂଗ୍ରେସରେ ଦଳୀୟ କନ୍ଦଳ ଚରମ ରୂପ ନେଇଛି। ମେଣ୍ଟକୁ ବିରୋଧ କରି ଆଜି ଦିଲ୍ଲୀ କଂଗ୍ରେସ ସଭାପତି ଅରବିନ୍ଦର ସିଂହ ଲଭ୍‌ଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ ଆପ୍‌ ହେଉଛି କଂଗ୍ରେସର ଶତ୍ରୁ ଏବଂ ଏହି ଦଳ ସହ କଂଗ୍ରେସ ବୁଝାମଣା କରିବାକୁ ସେ ଗ୍ରହଣ କରିପାରୁ ନାହାନ୍ତି। କଂଗ୍ରେସ ବିରୋଧରେ ନାନା ଦୁର୍ନୀତି ଅଭିଯୋଗ ଆଣି ଏବଂ କଂଗ୍ରେସକୁ ଲଗାତାର ବଦନାମ କରି ଆପ୍‌ ଦଳ ଜନ୍ମ ନେଇଛି। ଏବେ ଏହି ଦଳ ସହ ମେଣ୍ଟ କରି କଂଗ୍ରେସ ନିର୍ବାଚନ ଲଢ଼ିବା ଅତ୍ୟନ୍ତ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ମୁଁ ଦିଲ୍ଲୀ ସଭାପତି ପଦରେ ରହିବାକୁ ଉଚିତ ମଣୁନାହିଁ ବୋଲି ଲଭ୍‌ଲି ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି। ତେବେ ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇନାହାନ୍ତି ଏବଂ କେବଳ ଆପ୍‌ ସହ ମେଣ୍ଟକୁ ବିରୋଧ କରି ପଦ ଛାଡ଼ିଛନ୍ତି ବୋଲି ଲଭ୍‌ଲି ସ୍ପଷ୍ଟ କରିଛନ୍ତି।

Advertisment

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଲେଖିଥିବା ପତ୍ରରେ ସେ କହିଛନ୍ତି ଯେ ଦିଲ୍ଲୀ କଂଗ୍ରେସର ବରିଷ୍ଠ ନେତାମାନେ ସର୍ବସମ୍ମତିକ୍ରମେ ନେଇଥିବା କେତେକ ନିଷ୍ପତ୍ତିକୁ ମଧ୍ୟ ଏଆଇସିସି ସାଧାରଣ ସମ୍ପାଦକ (ଦିଲ୍ଲୀ ପ୍ରଭାରୀ) ଏକତରଫା ଭାବେ ଅଟକାଇଛନ୍ତି ଏବଂ ଏହା ତାଙ୍କୁ ପୀଡ଼ା ଦେଇଛି। ସୂଚନାଯୋଗ୍ୟ, ୨୦୨୩ ଅଗଷ୍ଟରେ ଲଭ୍‌ଲିଙ୍କୁ ଦିଲ୍ଲୀ କଂଗ୍ରେସ ସଭାପତି ପଦରେ ନିଯୁକ୍ତ କରାଯାଇଥିଲା। ଆପ୍‌ ସହ ମେଣ୍ଟ ନେଇ ଦଳରେ ଚାପା ଅସନ୍ତୋଷ ଭିତରେ ଲଭ୍‌ଲି ତାଙ୍କ କାର୍ଯ୍ୟ ଜାରି ରଖିଥିବା ବେଳେ ଦିଲ୍ଲୀ ମଦ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଆପ୍‌ର ଶୀର୍ଷ ନେତାମାନେ ଗିରଫ ହୋଇଥିବାରୁ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଆପ୍‌ର ଦୁର୍ନୀତିକୁ ସମର୍ଥନ କରି ଲୋକଙ୍କ ପାଖକୁ ଭୋଟ୍‌ ପାଇଁ ଯିବା କଷ୍ଟକର ବ୍ୟାପାର ବୋଲି ଅନେକ ନେତା ମତ ଦେଇଛନ୍ତି।
ଲଭ୍‌ଲି କହିଛନ୍ତି, ଦିଲ୍ଲୀର ବିକାଶକୁ ନେଇ ଆପ୍‌ର ମିଥ୍ୟା ପ୍ରଚାରକୁ ପ୍ରଶଂସା କରି ଲୋକଙ୍କୁ ଭୋଟ୍‌ ମାଗିବା ଦଳର ଅଡ଼ୁଆ ବଢ଼ାଉଛି।