ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର, ୨୧ ତାରିଖ ସୁଦ୍ଧା ବାତ୍ୟା ରୂପ ନେବ

ଭୁବନେଶ୍ବର : ଭାରତୀୟ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ମାର୍ଚ୍ଚ ୧୬ ସକାଳ ୩ଟା ସୁଦ୍ଧା ଏହା ଦକ୍ଷିଣ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ମଧ୍ୟାହ୍ନ ବୁଲେଟିନରେ କୁହାଯାଇଛି ।

ଏହା କ୍ରମଶଃ ପୂର୍ବ ଉତ୍ତର-ପୂର୍ବ ଦିଗରେ ଗତି କରି ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୦ ତାରିଖ ସୁଦ୍ଧା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଉପକୂଳରେ ଏକ ଡିପ୍ରେସନରେ ପରିଣତ ହେବ । ପରଦିନ ଅର୍ଥାତ ୨୧ ମାର୍ଚ୍ଚ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ହୋଇ ଏକ ବାତ୍ୟା ରୂପ ନେବ । ୨୨ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଓ ଧୀରେ ଧୀରେ ଉତ୍ତର-ପୂର୍ବ ଦିଗରେ ଗତି କରି ୨୩ ତାରିଖ ବାଂଲାଦେଶ ଓ ମିଆଁମାର ଉପକୂଳରେ ପହଞ୍ଚିବ ।

ତେବେ ଏହି ବ୍ୟାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଅନ୍ୟପକ୍ଷରେ ଓଡ଼ିଶାରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର