ଭୁବନେଶ୍ବର : ଆସନ୍ତା ୨୨ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ୨୪ ମେ ସୁଦ୍ଧା ଆହୁରି ଘନୀଭୂତ ହୋଇ ଏକ ଡିପ୍ରେସନରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ଏହି ଡିପ୍ରେସନ ପ୍ରଭାବରେ ଆସନ୍ତା ୨୪ ତାରିଖଠାରୁ ଉତ୍ତର ଓ ଉପକୂଳ ଓଡିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଜଗତସିଂହପୁର, କେନ୍ଦ୍ରାପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ମୟୁରଭଞ୍ଜ ଓ କେନ୍ଦୁଝରରର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ୨୫ରୁ ୨୬ ତାରିଖବେଳକୁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଜଗତସିଂହପୁର, କଟକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଅବପାତ ପ୍ରଭାବରେ ଏସବୁ ଜିଲ୍ଲାରେ ପବନର ବେଗ ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ରହିବାର ସମ୍ଭାବନା ଥିବାବେଳେ ୬୦ କିଲୋମିଟର ବେଗରେ ଝଟକା ଲାଗିବାର ସମ୍ଭାବନା ରହିଛି । ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନାକରାଯାଇଛି ।