ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ଓ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଜି ସନ୍ଧ୍ୟା ୫ଟା୩୦ ସମୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି  । ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର-ଆନ୍ଧ୍ର ଉପକୂଳ ନିକଟରେ ସମୁଦ୍ର ମଧ୍ୟରେ ସୃଷ୍ଟି ହୋଇଛି । ଏହା ଆହୁରି ଘନୀଭୂତ ହେବା ସହ ଆସନ୍ତା ୨୬ ତାରିଖ ବେଳକୁ ଏକ ଅବପାତର ରୂପନେବାର ସମ୍ଭାବନା ରହିଛି  ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

Advertisment

ଏହି ଅବପାତର ପ୍ରଭାବରେ କେବଳ ଓଡ଼ିଶା ନୁହେଁ, ଆନ୍ଧ୍ରପ୍ରଦେଶ, ତେଲେଙ୍କାନା ଓ ଛତିଶଗଡ଼ରେ ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଅବପାତରେ ପରିଣତ ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଓ ଦକ୍ଷିଣ ଓଡ଼ିଶା ଓ ଉତ୍ତର-ଆନ୍ଧ୍ର ଉପକୂଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ସେହିପରି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ମଧ୍ୟ ସମାନ ପ୍ରକାରର ପୂର୍ବାନୁମାନ କରିଛି । ସ୍କାଏମେଟ୍ ପକ୍ଷରୁ କୁହାଯାଇଛି ଯେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହୋଇ ଆସନ୍ତା ୨୬ ତାରିଖ ବେଳକୁ ଅବପାତ ରୂପ ନେବ । ସେହିପରି ଚଳିତ ସପ୍ତାହ ଶେଷ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଫଳରେ ଆଗାମୀ କିଛି ଦିନ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍କାନା ଓ ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।