ରବିବାର ଦିନ ସୃଷ୍ଟି ହେବାକୁ ଥିବା ଲଘୁଚାପ ପଶ୍ଚିମବଙ୍ଗ, ବିହାର ଉପରେ ଅଧିକ ପ୍ରଭାବ ପକାଇବ : ସ୍କାଏମେଟ୍‌

ନୂଆଦିଲ୍ଲୀ : ଆସନ୍ତା ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଓଡ଼ିଶା ତୁଳନାରେ ପଶ୍ଚିମବଙ୍ଗ ଓ ବିହାର ଉପରେ ଅଧିକ ପ୍ରଭାବ ପକାଇବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି । ଏହା ସତ୍ତ୍ୱେ ଓଡ଼ିଶାର ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସ୍କାଏମେଟ କହିଛି ଯେ ଗତ ୧୯ ତାରିଖରେ ସୃଷ୍ଟି ହୋଇ ଓଡ଼ିଶାରେ ପ୍ରବଳ ବର୍ଷା କରାଇଥିବା ଲଘୁଚାପ ତୁଳନାରେ ନୂଆ ଲଘୁଚାପଟିର ଗତିପଥ ଉତ୍ତର ଦିଗକୁ ରହିବ । ଏହା ପଶ୍ଚିମବଙ୍ଗ, ବିହାର ଓ ଗାଙ୍ଗେୟ ସମତଳଭୂମି କ୍ଷେତ୍ର ଆଡ଼େ ଗତି କରି ବର୍ଷା କରାଇବ ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ରବିବାରଦିନ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପ଼ଡ଼ା, କଟକ,ଜଗତସିଂହପୁର, ମୟୁରଭଞ୍ଜ,କେନ୍ଦୁଝର ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହିପାଇଁ ଏସବୁ ଜିଲ୍ଲାଗୁଡ଼ିକରେ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଏହାଛଡ଼ା ଅନୁଗୁଳ, ସମ୍ବଲପୁର,ମାଲକାନଗିରି,କୋରାପୁଟ, କନ୍ଧମାଳ,କଳାହାଣ୍ଡି, ସୁନ୍ଦରଗଡ଼,ଦେବଗଡ଼ ଓ ନବରଙ୍ଗପୁର ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଏହାର ପରବର୍ତ୍ତି ଦିନଗୁଡ଼ିକରେ ବର୍ଷା ପରିମାଣ ଆହୁରି ବଢିବ । ରାଜ୍ୟର ୧୮ଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାରଦିନ ପ୍ରକାଶିତ ବୁଲେଟିନରେ କୁହାଯାଇଛି ।

ସମ୍ବନ୍ଧିତ ଖବର