ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୭ସୁଦ୍ଧା ଲଘୁଚାପ ରୂପ ନେବ

ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ବା ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଆସନ୍ତା ୭ ତାରିଖ ବେଳକୁ ଏହା ଏକ ଲଘୁଚାପରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏପରିକି ଏହି ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହୋଇପାରେ ବୋଲି  ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି ।

ଏହି ଲଘୁଚାପ ପ୍ରଭାବରେ ଓଡ଼ିଶା ସମେତ ଭାରତର କେତେକ ରାଜ୍ୟରେ ଦୁର୍ବଳ ହୋଇପଡ଼ିଥିବା ମୌସୁମୀ ପୁଣି ସକ୍ରିୟ ହେବାର ସମ୍ଭାବନା ରହିଛି । ଜୁଲାଇ ମଧ୍ୟଭାଗ ସୁଦ୍ଧା ହାରାହାରି ବୃଷ୍ଟିପାତ ୧୧୪ ପ୍ରତିଶତ ଥିବାବେଳେ ଅଗଷ୍ଟ ପ୍ରଥମ ସପ୍ତାହବେଳକୁ ତାହା ୧୦୬ ପ୍ରତିଶତକୁ ଖସିଆସିଛି । କିନ୍ତୁ ଆଗାମୀ ଲଘୁଚାପ ଫଳରେ ଦୁର୍ବଳ ହୋଇଥିବା ମୌସୁମୀ ପୁଣି ସକ୍ରିୟ ହୋଇ ପ୍ରବଳ ବର୍ଷା କରାଇବ । ଏହାର ପ୍ରଭାବରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ମହାରାଷ୍ଟ୍ର, ଗୁଜୁରାଟ ଓ ରାଜସ୍ଥାନରେ ବର୍ଷା ହେବ । ଏହା ଫଳରେ  କେତେକ ରାଜ୍ୟରେ ଦେଖାଦେଇଥିବା ନିଅଣ୍ଟିଆ ବର୍ଷା ପରିସ୍ଥିତି ମଧ୍ୟ ଦୂର ହେବାର ସମ୍ଭାବନା ରହିଛି ।

ଅଗଷ୍ଟ ୧୧ ବେଳକୁ ଏହି ଲଘୁଚାପକ୍ଷେତ୍ର ଆରବ ସାଗରରେ ପ୍ରବେଶ କରି ପାକିସ୍ତାନ ଉପକୂଳ ଦେଇ ଓମାନ ଓ ପାରସ୍ୟ ଉପସାଗର ଆଡ଼କୁ ଯିବ । ଆରବ ସାଗର ଅତିକ୍ରମ କରିବା ସମୟରେ ଏହା ପୁଣି ବଳ ଗୋଟାଇବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର