ଭୁବନେଶ୍ବର : ଉତ୍ତର-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୬ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସମ୍ପର୍କରେ ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସ୍ପଷ୍ଟ କରିଛି । ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୬ ଓ ୭ ତାରିଖରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି କହିଛି ।

Advertisment

ଆଇଏମଡି ପକ୍ଷରୁ ଆଜି ଜାରି ସ୍ବତନ୍ତ୍ର ବୁଲେଟିନରେ କୁହାଯାଇଛି ଯେ, ଲଘୁଚାପ ପ୍ରଭାବରେ ଆସନ୍ତା ୬ ତାରିଖରେ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୭ ଓ ୮ ତାରିଖରେ ଛତିଶଗଡ଼, ମଧ୍ୟପ୍ରଦେଶ, କୋଙ୍କଣ ଓ ଗୋଆରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଗତ ଅଗଷ୍ଟ ମାସରେ ଦେଖାଦେଇଥିବା ବର୍ଷା ନିଅଣ୍ଟକୁ ଏହି ଲଘୁଚାପ କେତେକାଂଶରେ ଭରଣା କରିବାରେ ସହାୟକ ହେବ । ଏହା ମଧ୍ୟ ନିଷ୍କ୍ରିୟ ହୋଇଯାଇଥିବା ମୌସୁମୀକୁ ପୁଣି ସକ୍ରିୟ କରାଇବ । ଆସନ୍ତା ୧୧-୧୨ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ଦେଶରେ ସ୍ବାଭାବିକଠାରୁ ୨୪ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ସାଧାରଣତଃ ଏହି ମାସରେ ହାରାହାରି ୨୫୮.୨ ମିଲିମିଟର ବର୍ଷା ହୋଇଥାଏ । କିନ୍ତୁ ଚଳିତ ବର୍ଷ ଅଗଷ୍ଟ ମାସରେ ମାତ୍ର ୧୯୬.୨ ମିଲିମିଟର ବର୍ଷା ହୋଇଛି ।