ଉଦଘାଟନ ବେଳେ ଅଦ୍ଭୁତ ଘଟଣା : ନବନିର୍ମିତ ସଡ଼କ ଖୋଳି ହୋଇଗଲା, କିନ୍ତୁ ନଡ଼ିଆ ଫାଟିଲା ନାହିଁ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବିଜନୌରରେ ଏକ ଅଦ୍ଭୁତ ଘଟଣା ଘଟିଛି । ନଡ଼ିଆ ଫଟାଇ ଏକ ସଡ଼କର ଉଦଘାଟନ ବେଳେ ସଡ଼କ ଖୋଳି ହୋଇଗଲା ମାତ୍ର ନଡ଼ିଆ ଫାଟିଲା ନାହିଁ ।

ମିଳିଥିବା ସୂଚନା ଅନୁସାରେ ବିଜନୌରର ନହଟୋରଠାରେ ଜଳସେଚନ ବିଭାଗ ପକ୍ଷରୁ ଏକ ୭.୫ କିଲୋମିଟର ରାସ୍ତାର ପୁନର୍ନିର୍ମାଣ ୧ କୋଟି ୧୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ହୋଇଥିଲା । ରାସ୍ତାର ଉଦଘାଟନ ପାଇଁ ବିଜନୌର ସଦର ବିଧାୟିକା ସୁଚୀ ମୌସମ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଆସିଥିଲେ । କାର୍ଯ୍ୟକ୍ରମ ଅନୁସାରେ ସେ ଯେତେବେଳେ ସଡ଼କରେ ନଡ଼ିଆ ଫଟାଇଲେ, ନଡ଼ିଆ ତ ଫାଟିଲା ନାହିଁ କିନ୍ତୁ ସଡ଼କ ଖୋଳି ହୋଇ ଗାତ ହୋଇଗଲା । ସଡ଼କ ନିର୍ମାଣରେ ଲାଗିଥିବା ପିଚୁ ଓ ଚିପ୍ସ ବାହାରି ଆସିଥିଲା ।

 

ସଡ଼କର ନିମ୍ନମାନର କାମକୁ ନେଇ ବିଧାୟିକା ଅସନ୍ତୋଷ ପ୍ରକାଶ କରିବା ସହ ସଡ଼କର ନମୁନା ନେଇ ତଦନ୍ତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକାରୀମାନେ ସଡ଼କର ନମୁନା ନେବା ପର୍ଯ୍ୟନ୍ତ ପ୍ରାୟ ୩ ଘଣ୍ଟା ଧରି ବିଧାୟିକା ସେଠାରେ ଅପେକ୍ଷା କରି ରହିଥିଲେ ।

ଏପରି ନିମ୍ନ ମାନର କାମ କରି ଅର୍ଥ ଆତ୍ମସାତ କରିଥିବା ଲୋକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହିତ ସଡ଼କକୁ ପୁଣି ନିର୍ମାଣ କରିବାକୁ ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର