ଲୋୟର ଇନ୍ଦ୍ରା ପ୍ରକଳ୍ପ ମାମଲା : ନୂଆପଡ଼ା ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ଏନ୍‌ଏଚ୍ଆର୍‌ସି

ନୂଆଦିଲ୍ଲୀ : ଲୋୟର ଇନ୍ଦ୍ରା ପ୍ରକଳ୍ପ ମାମଲାରେ ରିପୋର୍ଟ ଦାଖଲ କରିନଥିବା ଯୋଗୁଁ ନୂଆପଡ଼ା ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ମାନବାଧିକାର କମିସନ୍‌ (ଏନ୍‌ଏଚଆରସି) ଚେତାବନୀ ଦେଇଛନ୍ତି। ଲୋୟର ଇନ୍ଦ୍ରା ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ସମୟରେ ମାନବାଧିକାର ଉଲ୍ଲଂଘନ କରାଯାଇଥିଲା ବୋଲି ସୁପ୍ରିମକୋର୍ଟର ଆଇନଜୀବୀ ତଥା ଜଣାଶୁଣା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର ଆୟୋଗରେ ପିଟିସନ୍‌ ଦାଖଲ କରି ଅଭିଯୋଗ କରିଥିଲେ। ରାଜ୍ୟ ସରକାରଙ୍କ ଖାମଖିଆଲି ନୀତି ଯୋଗୁଁ ଏହି ପ୍ରକଳ୍ପ ଅନ୍ତର୍ଗତ ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ଦଶ ହଜାର ପରିବାର ବିସ୍ଥାପିତ ହୋଇଥିବା ରାଧାକାନ୍ତ ତ୍ରିପାଠୀ ଅଭିଯୋଗ କରିଥିଲେ। ତେବେ ଏହି ମାମଲାରେ ଏନ୍‌ଏଚଆରସି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ନୂଆପଡ଼ା ଜିଳ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ନୂଆପଡ଼ା ଜିଲ୍ଲାପାଳଙ୍କଠାରୁ କୌଣସି ଉତ୍ତର ମିଳିନଥିଲା।

୪ ସପ୍ତାହ ଭିତରେ ରିପୋର୍ଟ ଦାଖଲ କରିବାପାଇଁ ନୂଆପଡ଼ା ଜିଳ୍ଲାପାଳଙ୍କୁ ଏନ୍‌ଏଚଆରସି ଚୂଡ଼ାନ୍ତ ରିମାଇଣ୍ଡର ପଠାଇଛନ୍ତି। ଯଦି ୪ ସପ୍ତାହ ଭିତରେ ରିପୋର୍ଟ ନମିଳେ, ତା’ହେଲେ ମାନବାଧିକାର ନିୟମ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍‌ଏଚଆରସି ପକ୍ଷରୁ ‌‌େଚତାବନୀ ଦିଆ‌ଯାଇଛି।

ସମ୍ବନ୍ଧିତ ଖବର