ବର୍ଷକ ମଧ୍ୟରେ ଆଜି ଦିଲ୍ଲୀରେ ସବୁଠାରୁ କମ ସଂକ୍ରମିତ, ୨୪ ଘଣ୍ଟାରେ ନୂଆ ୮୯ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବର୍ଷକ ମଧ୍ୟରେ ସବୁଠାରୁ କମ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୮୯ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏଥି ସହିତ ୧୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ସଂକ୍ରମଣ ହାର ମଧ୍ୟ ୦.୧୬ ପ୍ରତିଶତକୁ ଖସି ଆସିଛି। ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ ଚଳିତ ବର୍ଷ ଫେବୃଆରୀ ୧୬ ରେ କୋଭିଡ -୧୯ ର ସର୍ବନିମ୍ନ ୯୪ ଟି ମାମଲା ରିପୋର୍ଟ ହୋଇଥିଲା, ଏହା ପରେ ପ୍ରଥମ ଥର ପାଇଁ କୋଭିଡ -୧୯ ର ଦୈନିକ ମାମଲା ହ୍ରାସ ପାଇଛି।

ରବିବାର ଦିନ, ୧୨୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୭ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା ​​ଏବଂ ସଂକ୍ରମଣ ହାର ୦.୧୭ ପ୍ରତିଶତ ଥିଲାବେଳେ କରୋନା ଯୋଗୁଁ ମୋଟ ମୃତ୍ୟୁ ସଂଖ୍ୟା ୨୪,୯୨୫ ରେ ପହଞ୍ଚିଛି। ସକ୍ରିୟ ମାମଲା ସଂଖ୍ୟା ୨ ହଜାର ତଳକୁ(୧୯୯୬) ଖସି ଆସିଛି। ମାର୍ଚ୍ଚ ୧୦ ଠାରୁ ଏହି ସଂଖ୍ୟା ସର୍ବନିମ୍ନ | ମାର୍ଚ୍ଚ ୧୦ରେ ଏହି ସଂଖ୍ୟା ୧୯୦୦ ଥିଲା |

ସେହିପରି ବର୍ତ୍ତମାନ ହୋମ ଆଇସୋଲେସନରେ ୫୬୩ଜଣ ରୋଗୀ ଥିବାବେଳେ ସକ୍ରିୟ ରୋଗୀଙ୍କ ହାର ସର୍ବନିମ୍ନ ସ୍ତର (୦.୧୩) ପ୍ରତିଶତରେ ପହଞ୍ଚିଛି। ସେହିପରି ଆରୋଗ୍ୟ ହାର ୯୮.୧୨ ପ୍ରତିଶତକୁ ବୃଦ୍ଧି ପାଇଛି | ୨୪ ଘଣ୍ଟା ମଧ୍ୟରେ ୫୭,୧୨୮ ଜଣଙ୍କର କରୋନା ପରୀକ୍ଷା କରାଯାଇଥିଲା | ସେଥିମଧ୍ୟରୁ ଆରଟିପିସିଆର ପରୀକ୍ଷା ୪୫,୪୬୮ ଏବଂ ୧୧,୬୬୦ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା |

ସମ୍ବନ୍ଧିତ ଖବର