ନୂଆଦିଲ୍ଲୀ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ୨୯ ମେ ୨୦୨୨ରେ ପଞ୍ଜାବରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ସୁରକ୍ଷା ଏଜେନ୍ସିକୁ ଡବଲ ସଫଳତା ମିଳିଛି । ଲରେନ୍ସର ଡାହାଣ ହାତ କୁହାଯାଉଥିବା ବିକ୍ରମ ବ୍ରାରକୁ ଗିରଫ କରି ଭାରତକୁ ଆଣିଛି ଏନଆଇଏ । ଏନଆଇଏର ଅନୁରୋଧ କ୍ରମେ ଇଣ୍ଟରପୋଲ ଜୁଲାଇ ମାସରେ ଗ୍ୟାଙ୍ଗଷ୍ଟର ବିକ୍ରମ ବ୍ରାର ବିରୋଧରେ ରେଡ୍ କର୍ନର ନୋଟିସ୍ (ଆରସିଏନ୍) ଜାରି କରିଥିଲା। ବିକ୍ରମ ଟାର୍ଗେଟ କିଲିଂ ବ୍ୟତୀତ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବ୍ରାର ଏବଂ ଅନ୍ୟମାନଙ୍କ ସହାୟତାରେ ଭାରତରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଓ ଜବରଦଖଲ ମାମଲାରେ ମଧ୍ୟ ସମ୍ପୃକ୍ତ ଥିଲା। ସେ ନିଜ ତିନି ସହଯୋଗୀଙ୍କ ଜରିଆରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ବାପା ସଲିମ ଖାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ପଠାଇଥିଲା ।

Advertisment

ସେହିପରି ଏହି ହତ୍ୟାକାଣ୍ଡର ଅନ୍ୟତମ ମାଷ୍ଟରମାଇଣ୍ଡ ତଥା ଲରେନ୍ସ ବିଷ୍ଣୋଇର ଭଣଜା ସଚିନ ବିଷ୍ଣୋଇକୁ ଖୁବଶୀଘ୍ର ଭାରତ ଅଣାଯିବ । ସୁରକ୍ଷା ଏଜେନ୍ସି ମାନେ ତାକୁ ଆଜରବାଇଜାନରୁ ଦିଲ୍ଲୀ ଆଣିବେ । ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ସଚିନ ନିଜେ ଦାବି କରିଥିଲା ଯେ ସେ ଏହି ହତ୍ୟା କରିଛି । ଗତ ବର୍ଷ ଅଗଷ୍ଟ ମାସରେ ଆଜରବୈଜାନରେ ସଚିନକୁ ଗିରଫ କରାଯାଇଥିଲା । ସେ ମୁସେଓ୍ବାଲାଙ୍କ ହତ୍ୟା ପୂର୍ବରୁ ହିଁ ଜାଲ ପାସପୋର୍ଟ ଜରିଆରେ ଭାରତରୁ ଫେରାର ହୋଇଯାଇଥିଲା ।