ଜୟପୁର: ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ଭଜନ ଲାଲ ସରକାର ଜାନୁଆରୀ ପହିଲାରୁ ବିପିଏଲ କାର୍ଡଧାରୀଙ୍କୁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେବାକୁ ଘୋଷଣା କରିଛନ୍ତି । ବର୍ତମାନ ଏହି ସିଲିଣ୍ଡରକୁ ୫୦୦ ଟଙ୍କାରେ ଦିଆଯାଉଛି । ବୁଧବାର ଟୋଙ୍କଠାରେ ବିକାଶୀ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଏହି ଘୋଷଣା କରିଛନ୍ତି।

Advertisment

ସିଏମ୍ ଭଜନଲାଲ ଶର୍ମା କହିଛନ୍ତି, 'ମୁଖ୍ୟମନ୍ତ୍ରୀ ହେବା ପରେ ମୁଁ ପ୍ରଥମ ଥର ଟୋଙ୍କ ଆସିଛି। ଆଜି ମୁଁ କହିବାକୁ ଚାହୁଁଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି ଏବଂ ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଉଜ୍ଜ୍ୱଳା ଗ୍ୟାସ ଯୋଜନାର ହିତାଧିକାରୀଙ୍କୁ ନୂଆ ବର୍ଷରୁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦିଆଯିବ । ଏହି ଯୋଜନା ରେ ସବସିଡି ରାଶି ରାଜ୍ୟ ସରକାର ବହନ କରିବେ ଏବଂ ହିତାଧିକାରୀ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯିବ ।

ରାଜସ୍ଥାନ ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟସରକାରଙ୍କ ଉପରେ ପ୍ରତି ମାସରେ ୫୨ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ । ବର୍ତ୍ତମାନ ତୈଳ ଓ ଗ୍ୟାସ କଂପାନିଗୁଡ଼ିକ ୯୦୬ ଟଙ୍କାରେ ୧୪.୨ କେଜି ଏଲପିଜି ସିଲିଣ୍ଡର ଯୋଗାଇ ଦେଉଛନ୍ତି। ଉଜ୍ଜ୍ୱଳା ସଂଯୋଗଧାରୀଙ୍କୁ କେନ୍ଦ୍ର ସରକାର ୩୦୦ ଟଙ୍କା ରିହାତି କିମ୍ବା ସବସିଡି ଦେଉଛନ୍ତି । ଅବଶିଷ୍ଟ ରାଜ୍ୟ ସରକାର ବହନ କରୁଛନ୍ତି ।