୫ ବର୍ଷରେ ଏଲ୍‌ପିଜି ଦୁଇଗୁଣା ମହଙ୍ଗା

ନୂଆଦିଲ୍ଲୀ : ଦେଶରେ ଗତ ୫ ବର୍ଷ ମଧ୍ୟରେ ଏଲ୍‌ପିଜି ଦାମ୍‌ ପ୍ରାୟ ଦୁଇଗୁଣା ମହଙ୍ଗା ହୋଇଛି। ୨୦୧୭ ଜୁଲାଇ୬ରେ ଦେଶରେ ୧୪.୨ କିଗ୍ରା ବିଶିଷ୍ଟ ଏଲପିଜି ସିଲିଣ୍ଡର ମୂଲ୍ୟ ୫୬୪ ଟଙ୍କା ରହିଥିଲା। କିନ୍ତୁ ଗତକାଲି ଏଥିରେ ୫୦ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ମୂଲ୍ୟ ୧୦୫୩ ଟଙ୍କାରେ ପହଞ୍ଚିଛି। ଭୁବନେଶ୍ବରରେ ଏଲପିଜି ଦାମ ୧୦୭୯ ଟଙ୍କା ଛୁଇଁଛି।

ଲୋକଙ୍କ ରୋଜଗାର ଠାରୁ ଆରମ୍ଭ କରି ସେମାନଙ୍କ ସଞ୍ଚୟ ଆଦି କରୋନା ଓ ଅନ୍ୟାନ୍ୟ କାରଣରୁ ପ୍ରଭାବିତ ହୋଇଥିଲେ ମଧ୍ୟ ଦରଦାମରେ କୌଣସି ରିହାତି ଲୋକଙ୍କୁ ମିଳୁନାହିଁ। ଏଲପିଜି ଦିନକୁ ଦିନ ବଢ଼ିବାରେ ଲାଗିଛି।

ସୂଚନା ଅନୁଯାୟୀ ଦିଲ୍ଲୀରେ ଏଲପିଜି ଦର ୨୦୧୮ ଜୁଲାଇ ୬ ବେଳକୁ ୭୫୪ ଟଙ୍କା ରହିଥିଲା। ଅବଶ୍ୟ ପରେ ୨୦୧୯ ଏବଂ ୨୦୨୦ ମସିହାରେ ଏଥିରେ ହ୍ରାସ ଘଟିଥିଲା। ୨୦୧୯ ଜୁଲାଇ ୬ରେ ଦର ୬୩୭ ଟଙ୍କା ଏବଂ ୨୦୨୦ ଜୁଲାଇ ୬ରେ ଦର ୫୯୪ ଟଙ୍କାକୁ ହ୍ରାସ ପାଇଥିଲା। କିନ୍ତୁ ୨୦୨୧ ଜୁଲାଇ ୬ରେ ଦାମ ୮୩୪ ଟଙ୍କା ଏବଂ ୨୦୨୨ ଜୁଲାଇ ୬ରେ ଦାମ ୧୦୫୩ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ୨୦୨୦ ଜୁଲାଇ ୬ରୁ ୨୦୨୨ ଜୁଲାଇ ୬ ମଧ୍ୟରେ ଗ୍ୟାସ ଦାମ ୪୫୯ ଟଙ୍କା ବୃଦ୍ଧି ପାଇଛି। ୨୦୨୦ରୁ ୨୦୨୧ ଜୁଲାଇ ୬ ଭିତରେ ଗ୍ୟାସ ଦର ୨୪୦ ଟଙ୍କା ବଢ଼ିଥିବାବେଳେ ୨୦୨୧ରୁ ୨୦୨୨ ଜୁଲାଇ ୬ ମଧ୍ୟରେ ଏଥିରେ ୨୧୯ ଟଙ୍କାର ବୃଦ୍ଧି ହୋଇଛି।
କେବଳ ରନ୍ଧନ ଗ୍ୟାସ ନୁହେଁ, ପେଟ୍ରୋଲ ଓ ଡିଜେଲଠାରୁ ଆରମ୍ଭ କରି ଅନେକ ସମାଗ୍ରୀ ମହଙ୍ଗା ହୋଇଛି।

ଦିଲ୍ଲୀରେ ୨୦୧୭ରେ ପେଟ୍ରୋଲ ଦର ଲିଟର ପିଛା ୬୩ ଟଙ୍କା ୧୯ ପଇସା ଥିଲା। କିନ୍ତୁ ଏବେ ଏହା ୯୬ ଟଙ୍କା ୭୨ ପଇସା ରହିଛି। ଅର୍ଥାତ୍ ଗତ ୫ ବର୍ଷ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୩୩ ଟଙ୍କା ୫୩ ପଇସା ଅଧିକ ରହିଛି। ପ୍ରତିଶତ ହିସାବରେ ଦେଖିଲେ ପେଟ୍ରୋଲ ଦର ଶତକଡ଼ା ୫୩ ବଢ଼ିଛି।

ଏଥିସହିତ ଲୋକଙ୍କୁ ବିଭିନ୍ନ ପ୍ରକାର ଜମା ଉପରେ ମିଳୁଥିବା ସୁଧ ହାର ମଧ୍ୟ ଗତ ୫ ବର୍ଷ ଭିତରେ ଯଥେଷ୍ଟ କମିଛି। ସୂଚନାନୁଯାୟୀ, ୨୦୧୭ ଜୁଲାଇରେ ପିପିଏଫ୍‌ ସୁଧ ହାର ୭.୮ ପ୍ରତିଶତ ଥିବାବେଳେ ୨୦୨୨ ଜୁଲାଇରେ ଏହା ୭.୧ ପ୍ରତିଶତକୁ କମିଛି। ସେହିଭଳି ସୁକନ୍ୟା ସମୃଦ୍ଧି ଯୋଜନାରେ ୫ ବର୍ଷ ପୂର୍ବେ ୮.୩ ପ୍ରତିଶତ ସୁଧ ମିଳୁଥିବାବେଳେ ଏବେ ଏହା ୭.୬ ପ୍ରତିଶତକୁ କମିଛି। ଡାକଘର ମିଆଦୀ ଜମା ସୁଧ ହାର ମଧ୍ୟ ଏହି ସମୟ ମଧ୍ୟରେ ୭.୬ ପ୍ରତିଶତରୁ ୬.୭ ପ୍ରତିଶତକୁ ହ୍ରାସ ପାଇଛି। ଗୋଟିଏ ପଟେ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ଅନ୍ୟପଟେ ରୋଜଗାର ଓ ଜମା ଉପରେ ସୁଧ ହାର ହ୍ରାସ ଖାଉଟି ଓ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର