ନୂଆଦିଲ୍ଲୀ: ଆଜି ସମଗ୍ର ଦେଶରେ ପୁଣି ରନ୍ଧନ ଗ୍ୟାସ୍ (ଏଲ୍ପିଜି) ଦର ବୃଦ୍ଧି ପାଇଛି। ପ୍ରାପ୍ତ ତଥ୍ୟ ଅନୁସାରେ, ଘରୋଇ ବ୍ୟବହାର ନିମନ୍ତେ ‘ଏଲ୍ପିଜି’ ସିଲିଣ୍ଡର୍ପିଛା ଟ. ୩.୫୦ ବୃଦ୍ଧି ପାଇଥିବା ବେଳେ ବ୍ୟାବସାୟିକ ବ୍ୟବହାର ନିମିତ୍ତ ‘ଏଲ୍ପିଜି’ ସିଲିଣ୍ଡର୍ପିଛା ଟ.୮/- ବୃଦ୍ଧି ପାଇଛି।
ଚଳିତ ମାସରେ ଏହା ହେଉଛି ରନ୍ଧନ ଗ୍ୟାସ୍ର ଦ୍ବିତୀୟ ଥର ମୂଲ୍ୟବୃଦ୍ଧି। ଆଜିର ଦର ବୃଦ୍ଧି ପରେ ଦେଶର ପ୍ରାୟ ସମସ୍ତ ସହରରେ ଘରୋଇ ସିଲିଣ୍ଡର୍ ଦର ଟ. ୧୦୦୦/- ଟପିଯାଇଛି।

ସେହି ଅନୁସାରେ, ଆଜିଠାରୁ ଦିଲ୍ଲୀ ଓ ମୁମ୍ବାଇରେ ଘରୋଇ ବ୍ୟବହାର ନିମନ୍ତେ ‘ଏଲ୍ପିଜି’ ସିଲିଣ୍ଡର୍ର ଦର ଟ. ୧୦୦୩/-, କୋଲ୍କାତାରେ ଟ. ୧୦୨୯/- ଏବଂ ଚେନ୍ନାଇରେ ଟ. ୧୦୧୮.୫/-ରେ ବିକ୍ରି ହେଉଛି।
ସ୍ମରଣଯୋଗ୍ୟ, ମେ ୭ ତାରିଖରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର୍ ଟ. ୫୦/- ବୃଦ୍ଧି ପାଇଥିଲା।
କ୍ରମାଗତ ଦର ବୃଦ୍ଧି ଫଳରେ ଉଭୟ ଘରୋଇ ଏବଂ ବ୍ୟାବସାୟିକ କ୍ଷେତ୍ରରେ ବ୍ୟବହୃତ ଇନ୍ଧନ ଗ୍ୟାସ୍ ବ୍ୟୟବହୁଳ ହୋଇଯାଇଛି।