ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡୀ ପ୍ରସାଦ ମହାନ୍ତି ଆଜି ଭାରତୀୟ ସ୍ଥଳସେନାର ଉପମୁଖ୍ୟ (ଭାଇସ୍ ଚିଫ୍ ଅଫ ଆର୍ମି ଷ୍ଟାପ୍) ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରୀୟ ଇଣ୍ଡିଆନ୍ ମିଲିଟାରି କଲେଜ୍, ଡେରାଡୁନ୍, ନ୍ୟାସନାଲ୍ ଡିଫେନ୍ସ ଏକାଡେମି, ଖଡକୱାସଲା ଏବଂ ଇଣ୍ଡିଆନ୍ ମିଲିଟାରି ଏକାଡେମି, ଡେରାଡୁନ୍ରୁ ସଫଳତା ପୂର୍ବକ ନିଜର ଶିକ୍ଷା ଓ ତାଲିମ ଶେଷ କଲାପରେ ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ୧୨ଜୁନ୍ ୧୯୮୨ରେ ରାଜପୁତ ରେଜିମେଣ୍ଟରେ ନିଯୁକ୍ତ କରାଯାଇଥିଲା। ନିଜର ଦୀର୍ଘ ଚାରି ଦଶନ୍ଧିର କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ସ୍ଥଳସେନାର ଜଣେ ଦକ୍ଷ ଜେନେରାଲ୍ ଭାବେ ଅତ୍ୟନ୍ତ ଦାୟିତ୍ୱ ସଂପନ୍ନ ଭାବେ ଦାୟିତ୍ୱ ତୁଲାଇବା ସହ ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ନିରନ୍ତର ଭାବେ କାର୍ଯ୍ୟ କରି ଆସିଥିଲେ। ସୀମାନ୍ତର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜମ୍ମୁ- କଶ୍ମୀରରେ ଏବଂ ପରେ ଉତ୍ତର ପୂର୍ବରେ ଲାଇନ୍ ଅଫ୍ କଣ୍ଟ୍ରୋଲରେ ନିୟୋଜିତ ବାଟାଲିୟନର ବ୍ରିଗେଡ୍ କମାଣ୍ଡର ତାଙ୍କର କାର୍ଯ୍ୟ ଉଲ୍ଲେଖନୀୟ ରହିବା ସହ ଅନ୍ୟମାନଙ୍କ ପାଇଁ ଉହାହାରଣ ହୋଇ ରହିଥିଲା। ଚୀନ୍ ସହ ସୃଷ୍ଟି ହୋଇଥିବା ଡୋକଲାମ ବିବାଦ ପରେ ସିକ୍କିମ୍ ଆଧାରିତ ତ୍ରିଶକ୍ତି କର୍ପସକୁ ନିର୍ଦ୍ଦେଶ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡୀ ପ୍ରସାଦ ମହାନ୍ତି। ଯୋଧପୁର ସବ୍ ଏରିଆର ଜଣେ ମେଜର ଜେନେରାଲ୍ ଭାବରେ ଏବଂ ଲେଫ୍ଟନାଣ୍ଟ ଜେନେରାଲ୍ ଭାବରେ ଉତ୍ତର ଭାରତର ସୁରକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ବିଶେଷ ଯୋଗଦାନ ରହିଥିଲା।
ଏତଦ୍ ବ୍ୟତୀତ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ୍, ୱେଲିଙ୍ଗଟନ୍, ଉଚ୍ଚ ପ୍ରତିରକ୍ଷା ପରିଚାଳନା ପାଠ୍ୟକ୍ରମ ସିକନ୍ଦରାବାଦ ଏବଂ ନ୍ୟାସନାଲ ଡିଫେନ୍ସ କଲେଜ ନୂଆଦିଲ୍ଲୀର ଜଣେ ଆଲୁମନାସ୍ ସହ ସେନାବାହିନୀର ବ୍ରିଗେଡ୍ ମେଜର, ସେଚେଲ୍ସର ସାମରିକ ପରାମର୍ଶଦାତା, କର୍ଣ୍ଣେଲ ଏମଏସ ଶାଖାରେ ସାମରିକ ସଚିବ (ଚୟନ), ପୂର୍ବାଞ୍ଚଳରେ ଥିବା ଏକ କର୍ପସର ବ୍ରିଗେଡିୟର୍ ଜେନେରାଲ୍ ଷ୍ଟାଫ୍ ଏବଂ ଅପରେସନ୍ ଜେନେରାଲ୍, ଅପରେସନ୍ ଲଜିଷ୍ଟିକ୍ ଏବଂ ଷ୍ଟ୍ରାଟେଜିକ୍ ମୁଭମେଣ୍ଟ୍ ପରି ସେନାର ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନିଜର ଦକ୍ଷତାକୁ ପ୍ରତିପାଦିତ କରି କାର୍ଯ୍ୟ କଲାପରେ ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତିଙ୍କୁ ଭାରତୀୟ ସ୍ଥଳସେନାର ଉପମୁଖ୍ୟ ପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ମିଳିଥିଲା। ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା କ୍ଷେତ୍ରରେ ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି ହେଉଛନ୍ତି ପ୍ରଥମ ଓଡ଼ିଆ।