ନୂଆଦିଲ୍ଲୀ: ବିଶିଷ୍ଟ ସେବା ପଦକପ୍ରାପ୍ତ ଲେଫ୍ଟ୍ନାଣ୍ଟ୍ ଜେନେରାଲ୍ ନନ୍ଦକିଶୋର ସାହୁ ଅକ୍ଟୋବର ୧୨ ତାରିଖରେ ‘ଡାଇରେକ୍ଟର୍ ଜେନେରାଲ୍ ଅଫ୍ ଡେଣ୍ଟାଲ୍ ସର୍ଭିସେସ୍’ ଏବଂ ‘କର୍ଣ୍ଣେଲ୍ କମାଣ୍ଡାଣ୍ଟ୍ ଅଫ୍ ଡେଣ୍ଟାଲ୍ କର୍ପସ୍’ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ୩୭ ବର୍ଷର ସେନା କ୍ୟାରିୟର୍ରେ ଏହି ଓଡ଼ିଆ ଲେଫ୍ଟ୍ନାଣ୍ଟ୍ ଜେନେରାଲ୍ କଶ୍ମୀର ଉପତ୍ୟକାର ଏକ ‘ୟୁନିଟ୍ କମାଣ୍ଡ୍’, ‘କମାଣ୍ଡ୍ ଆଡ୍ଭାଇଜର୍ ଅଫ୍ ୱେଷ୍ଟର୍ଣ୍ଣ’, ‘ସେଣ୍ଟ୍ରାଲ୍ ଆଣ୍ଡ୍ ସଦର୍ଣ୍ଣ କମାଣ୍ଡ୍’ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଥିଲେ।
‘କିଙ୍ଗ୍ ଜର୍ଜସ୍ ମେଡିକାଲ୍ ୟୁନିଭର୍ସିଟି’ର ଛାତ୍ର ଏବଂ ମୁମ୍ବାଇ ବିଶ୍ବବିଦ୍ୟାଳୟରୁ ‘ସ୍ପେସାଲିଟି ଅଫ୍ ଓରାଲ୍ ଆଣ୍ଡ୍ ମ୍ୟାକ୍ସିଲୋଫେସିଆଲ୍ ସର୍ଜରି’ରେ ସେ ସ୍ନାତକୋତ୍ତର କରିଛନ୍ତି। ସେ ମଧ୍ୟ ପୁଣେସ୍ଥିତ ‘ଆର୍ମଡ୍ ମେଡିକାଲ୍ କଲେଜ୍’ର ଦନ୍ତ ଚିକିତ୍ସା ବିଭାଗ ଓ ଦିଲ୍ଲୀସ୍ଥିତ ‘ଆର୍ମି ହସ୍ପିଟାଲ୍’ ରେ (ରିସର୍ଚ ଆଣ୍ଡ୍ ରେଫେରାଲ୍) ପ୍ରଧ୍ୟାପକ ଓ ବିଭାଗୀୟ ମୁଖ୍ୟ ଥିଲେ। ଲେଫ୍ଟ୍ନାଣ୍ଟ୍ ଜେନେରାଲ୍ ଏନ୍କେ ସାହୁ ହେଉଛନ୍ତି ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ, ଶିକ୍ଷକ ଏବଂ ‘କେ ଏସ୍ ମାଷ୍ଟର୍’ ରୌପ୍ୟ ପଦକ ବିଜେତା। ଉଚ୍ଚକୋଟୀର ଅନନ୍ୟ ସେବା ନିମନ୍ତେ ସେ ପାଞ୍ଚଟି କମେଣ୍ଡେସନ୍, ରାଷ୍ଟ୍ରପତି ପୁରସ୍କାର, ବିଶିଷ୍ଟ ସେବା ପଦକ ଲାଭ କରିଛନ୍ତି।
ଦାୟିତ୍ବ ଗ୍ରହଣ କରିବା ପରେ ଲେଫ୍ଟ୍ନାଣ୍ଟ୍ ଜେନେରାଲ୍ ଏନ୍କେ ସାହୁ ପରମ ଉତ୍ସାହ ଓ ଉଦ୍ଦୀପନାରେ କାର୍ଯ୍ୟ ଚାଲୁ ରଖିବାକୁ ସମସ୍ତ କର୍ମଚରୀଙ୍କୁ କହିଛନ୍ତି। ପାରଦର୍ଶୀତା ହାସଲ କରିବା ପଥରେ ଯାତ୍ରା କରିବା ଏବଂ ସବୁଥିରେ ‘ଦେଶ ଆଗ’ ବୋଲି ବିଚାର କରିବାକୁ ସେ ସେମାନଙ୍କୁ ନିବେଦନ କରିଛନ୍ତି।