ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ଭାରତର ନୂଆ ସିଡିଏସ୍

ନୂଆଦିଲ୍ଲୀ : ଲେପ୍ଟନାଣ୍ଟ ଜେନେରାଲ ଅନୀଲ ଚୌହାନ ଭାରତର ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ୍ (ସିଡିଏସ)  ନିଯୁକ୍ତ କରାଯାଇଛି । ସେ ଗତ ବର୍ଷ ମେ ମାସରେ ସେନାରୁ ଅବସର ଗ୍ରହଣ କରିଥିଲେ । ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁର ୯ ମାସ ପରେ ଦେଶ ୨ୟ ସିଡିଏସଙ୍କୁ ପାଇଛି ।

ସିଡିଏସ ପଦଭାର ସହ ସେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନସ୍ଥ ମିଲିଟାରୀ ବ୍ୟାପାର ବିଭାଗର ସଚିବ ଭାବେ କାମ କରିବେ ।

ନିଜର ୪୦ ବର୍ଷର ସେନା କ୍ୟାରିୟରରେ ସେ ସେନାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବୀରେ କାମ କରିଛନ୍ତି । ଆତଙ୍କବାଦ ନିରୋଧୀ ଅଭିଯାନରେ ତାଙ୍କର ଗଭୀର ଅଭିଜ୍ଞତା ରହିଛି । ସେ ୧୯୮୧ରେ ୧୧-ଗୋର୍ଖା ରାଇଫଲ୍ସରେ ଯୋଗ ଦେଇଥିଲେ । ସେ ନ୍ୟାସନାଲ ଡିଫେନ୍ସ ଏକେଡେମୀ ଖଡକଓ୍ବାସଲା ଓ ନ୍ୟାସନାଲ ମିଲିଟାରୀ ଏକାଡେମୀ,ଡେରାଡୁନର ଛାତ୍ର ଥିଲେ ।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାଓ୍ବତଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ଏମଆଇ-୧୭ ହେଲିକପ୍ଟରରେ ଜେନେରାଲ ରାଓ୍ବତଙ୍କ ସମେତ ମୋଟ ୧୪ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ୧୩ ଜଣ ସେହିଦିନ ପ୍ରାଣ ହରାଇଥିବାବେଳେ କେବଳ ଗ୍ରୁପ କ୍ୟାପଟେନ ବରୁଣ ସିଂ କିଛି ଦିନ ମୃତ୍ୟୁ ସହ ଲଢେଇ କରିବା ପରେ ଡିସେମ୍ବର ୧୫ରେ ମୃତ୍ୟୁବରଣ କରିଥିଲେ । ଏହି ଦୁର୍ଘଟଣା ପରଠାରୁ ଆଜି ପର୍ଯ୍ୟନ୍ତ ସିଡିଏସ ପଦଟି ଖାଲି ରହିଥିଲା ।

ସମ୍ବନ୍ଧିତ ଖବର