ନୂଆଦିଲ୍ଲୀ : ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତଙ୍କର ପରଲୋକ ପରେ ଏବେ ଚିଫ୍ ଅଫ୍ ଡିଫେନସ ଷ୍ଟାଫ୍ (ସିଡିଏସ୍ ) ଭାବେ କାହାକୁ ନିଯୁକ୍ତ ଦିଆଯିବ ତାହାକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ସୁରକ୍ଷା କମିଟି ବୈଠକରେ ଏସଂପର୍କରେ ଆଲୋଚନା ହୋଇଛି ଏବଂ ଖୁବ୍ଶୀଘ୍ର ସିଡିଏସ୍ ପଦ ପାଇଁ ନାମ ଘୋଷଣା ହେବ ବୋଲି ଜଣାପଡ଼ିଛି। ବର୍ତ୍ତମାନର ସେନାଧ୍ୟକ୍ଷ ଜେନେରାଲ ଏମ୍ଏମ୍ ନରବଣେ ପରବର୍ତ୍ତୀ ସିଡିଏସ୍ ହୋଇପାରନ୍ତି ବୋଲି କୁହାଯାଉଛି। ତାଙ୍କ ନାମ ଆଗଧାଡ଼ିରେ ରହିଛି। ବରିଷ୍ଠତା ଓ ଅଭିଜ୍ଞତା ଦୃଷ୍ଟିରୁ ସେ ସିଡିଏସ୍ ନିଯୁକ୍ତି ହେବା ସମ୍ଭାବନା ଅଧିକ। ବାୟୁସେନା ମୁଖ୍ୟ ମାର୍ସାଲ ଭିଆର୍ ଚୌଧୁରୀ ଏବଂ ନୌସେନା ମୁଖ୍ୟ ଆର୍ ହରି କୁମାର ଯଥାକ୍ରମେ ଗତ ସେପ୍ଟେମ୍ବର ୩୦ ଏବଂ ନଭେମ୍ବର ୩୦ରେ ସେମାନଙ୍କ ଦାୟିତ୍ବ ନେଇଛନ୍ତି। ଜେନେରାଲ ନରବଣେ ଆସନ୍ତା ଏପ୍ରିଲରେ ଅବସର ନେବାର ଅଛି। ସଂଶୋଧିତ ସାମରିକ ଆଇନ ଅନୁଯାୟୀ ସିଡିଏସ୍ ୬୫ ବର୍ଷ ପର୍ଯ୍ୟନ୍ତ କାମ କରିପାରିବେ। ଜେନେରାଲ ନରବଣେ ପରବର୍ତ୍ତୀ ସିଡିଏସ୍ ହୋଇପାରନ୍ତି।
ନରବଣେ ଯଦି ସିଡିଏସ୍ ଭାବେ ନିଯୁକ୍ତି ପାଇବେ ତା’ହେଲେ ସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ୍ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ନୂଆ ସେନାଧ୍ୟକ୍ଷ ହେବାର ସମ୍ଭାବନା ଅଧିକ। ଏହି ପଦ ଲାଗି ନର୍ଦନ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ୱାଇକେ ଯୋଶୀଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ଉଭୟ ମହାନ୍ତି ଓ ଯୋଶୀ ଗୋଟିଏ ବ୍ୟାଚ୍ର ହୋଇଥିଲେ ମଧ୍ୟ ନରବଣେଙ୍କ ପରେ ବରିଷ୍ଠତା ଦୃଷ୍ଟିରୁ ମହାନ୍ତିଙ୍କ ନାମ ଆଗରେ ରହିଛି। ପ୍ରକୃତ ନିୟନ୍ତ୍ରଣ ରେଖାରେ ସୈନ୍ୟ ପରିଚାଳନା ଅଭିଜ୍ଞତା ଦୃଷ୍ଟିରୁ ମହାନ୍ତି ପରବର୍ତ୍ତୀ ସେନାମୁଖ୍ୟ ହେବା ସମ୍ଭାବନା ଅଧିକ ବୋଲି ସାମରିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଜଗତସିଂହପୁରରେ ଜନ୍ମ ଗ୍ରହଣ କରିଥିବା ଜେନେରାଲ ମହାନ୍ତି ଗତ ଫେବୃଆରି ପହିଲାରେ ସେନା ଉପମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।
୨୦୨୦ ଜାନୁଆରି ୧ରେ ଜେନେରାଲ ରାୱତ ପ୍ରଥମ ସିଡିଏସ୍ ହୋଇଥିଲେ। କିନ୍ତୁ ତାଙ୍କ ଅକାଳ ବିୟୋଗ ସହ ସରକାରଙ୍କ ଉପରେ ତାଙ୍କ ଭଳି ଜଣେ ବରିଷ୍ଠ ଏବଂ ଅଭିଜ୍ଞ ଅଧିକାରୀଙ୍କୁ ବାଛିବାଭଳି ଗୁରୁଦାୟିତ୍ବ ରହିଛି।