ଦିଲ୍ଲୀ ବିଧାନସଭାକୁ ଭଙ୍ଗ କଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ଆଜି ସକାଳୁ ଆରମ୍ଭ ହୋଇଥିବା ବେଳେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ ଆଜି (ମଙ୍ଗଳବାର) ଦିଲ୍ଲୀ ବିଧାନସଭାକୁ ଭଙ୍ଗ ଘୋଷଣା କରିଛନ୍ତି। ତେବେ, ନୂତନ ସରକାର ଗଠିତ ହେବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବେ।

ତେବେ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ୬୩ଟି ଆସନରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ପ୍ରାର୍ଥୀମାନେ ସେମାନଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରାର୍ଥୀମାନଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। ଫଳରେ, ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଆଉଥରେ ଦିଲ୍ଲୀର କ୍ଷମତା ଦଖଲ କରିବାକୁ ଯାଉଥିବା ବେଳେ ଅରବିନ୍ଦ କେଜ୍ରିଓ୍ଵାଲ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଂକୃତ କରୁଥିବା ପ୍ରାୟ ନିଶ୍ଚିତ ହୋଇଯାଇଛି।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ପ୍ରାର୍ଥୀମାନେ ମାତ୍ର ୭ଟି ଆସନରେ ଆଗୁଆ ରହିଥିବା ବେଳେ ଦିଲ୍ଲୀରେ କଂଗ୍ରେସର ସତ୍ତା ପୂରାପୂରି ଲୋପ ପାଇ ଯାଇଛି।

ସମ୍ବନ୍ଧିତ ଖବର