ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଲକ୍ଷ୍ମୌର ଅତିରିକ୍ତ ପୁଲିସ ଅଧ୍ୟକ୍ଷକ ଶ୍ବେତା ଶ୍ରୀବାସ୍ତବଙ୍କ ପୁଅଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ମୃତ ବାଳକଙ୍କ ନାମ ନେମିସ ଓ ବୟସ ୧୦ବର୍ଷ ବୋଲି ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ଅତିରିକ୍ତ ପୁଲିସ ଅଧ୍ୟକ୍ଷକ ଶ୍ବେତା ଶ୍ରୀବାସ୍ତବଙ୍କ ଏକମାତ୍ର ପୁଅ ନେମିସ ଆଜି ସକାଳେ ପ୍ରଶିକ୍ଷକଙ୍କ ସହିତ ସ୍କେଟିଂ ଶିକ୍ଷା ପାଇଁ ଘରୁ ବ‌ାହାରି ଯାଇଥିଲେ। ଆଉ ମା’କୁ କହିଯାଇଥିଲେ,‘‌ମୋ ପାଇଁ ଭଲ ଜିନିଷ ରାନ୍ଧି ରଖିଥିବୁ। ମୁଁ ‌ସ୍କେଟିଂ କରି ଆସିକି ଖାଇବି।’

ମା’ ବି ପୁଅର ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତି କରି ଆସିବା ବାଟକୁ ଚାହିଁ ରହିଥିଲେ। ଏହି ସମୟରେ ଆସିଲା ଏକ ଫୋନ କଲ।  ଶ୍ବେତା ଯେମିତି ଉକ୍ତ ଫୋନ କଲଟି ଉଠାଇଛନ୍ତି ସେପଟୁ ଖବର ଆସିଲା, ‘ଆପଣ ନେମିସଙ୍କ ମା’ କହୁଛନ୍ତି। ଏକ ଦୁଃଖଦ ଖବର ଅଛି। ଆପଣଙ୍କ ପୁଅଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି।’

ନେମିସ ସ୍କେଟିଂ ସାରି ଘରକୁ ଫେରୁଥିବା ବେଳେ ଜନେଶ୍ବର ମିଶ୍ର ପାର୍କ ନିକଟରେ ଏକ କାର ତାଙ୍କ ଉପରେ ମାଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ନେମିସକୁ ମୃତ ଘୋଷଣା କରିଥିଲେ।

ଏହି ଦୁର୍ଘଟଣାର ଅଭିଯୋଗ ପୁଲିସରେ ହେବାପରେ ଯାଞ୍ଚ ଆରମ୍ଭ ହୋଇଯାଇଛି। ପୁଲିସ ଯାଞ୍ଚ କରି ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଦେଖିଥିଲା। ପ୍ରାଥମିକ ତଦନ୍ତରୁ ନେମିସଙ୍କୁ ଏକ ଧଳା ରଙ୍ଗର କାର ଧକ୍କା ଦେଇଥିବା ଜଣାପଡ଼ିଛି। ଏହି କାରକୁ ଆଧାର କରି ପୁଲିସ ଧକ୍କା ଦେଇଥିବା କାର ଚାଳଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।