ଲକ୍ଷ୍ନୌ: ୟୁଟ୍ୟୁବ୍ର ନୂଆ ସିଇଓ ଭାବେ ଭାରତରେ ଜନ୍ମିତ ୪୯ ବର୍ଷୀୟ ନିଲ ମୋହନ ନିଯୁକ୍ତ ହୋଇଛନ୍ତି। ଆମେରିକାରେ ନିଅଲ ୟୁଟ୍ୟୁବ୍ ଭଳି କମ୍ପାନିର ସିଇଓ ହେବାପରେ ଲକ୍ଷ୍ନୌ ସହରରେ ଆନନ୍ଦର ଲହରି ଖେଳିଯାଇଛି। ଏଠାକାର ସେଣ୍ଟ୍ ଫ୍ରାନ୍ସିସ୍ କଲେଜରେ ସେ ସପ୍ତମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ତେଣୁ ଏତେ ବଡ଼ ପଦବିରେ ନିଅଲ ନିଯୁକ୍ତି ପାଇବା ପରେ ତାଙ୍କର ପୁରୁଣା ସାଙ୍ଗମାନେ ବିଗତ ଦିନରେ ତାଙ୍କ ସହିତ କଟାଇଥିବା ଦିନଗୁଡ଼ିକୁ ମନେ ପକାଇଛନ୍ତି। ସେ ଜଣେ ପ୍ରତିଭାବାନ ଛାତ୍ର ଥିଲେ ମଧ୍ୟ ଲାଜକୁଳା ସ୍ବଭାବର ଥିଲେ ବୋଲି ସେମାନେ ମତ ଦେଇଛନ୍ତି।
ଫ୍ରାନ୍ସିସ୍ କଲେଜରେ ତାଙ୍କ ସହ ପଢ଼ୁଥିବା ଜଣେ ଛାତ୍ର ଶାନ୍ତନୁ କୁମାର କହିଛନ୍ତି, ଆମେ ସପ୍ତମ ଶ୍ରେଣୀର ଡି ସେକ୍ସନରେ ପଢ଼ୁଥିଲୁ। ସେ ଆମେରିକାରୁ ଆସିଥିବାରୁ ହିନ୍ଦୀ ଜାଣି ନଥିଲେ। କିନ୍ତୁ ଅଳ୍ପଦିନ ମଧ୍ୟରେ ସେ ହିନ୍ଦୀ ଶିଖିବା ସହିତ ଦଶମ ଶ୍ରେଣୀ ପରୀକ୍ଷାରେ ଅଧିକ ନମ୍ବର ରଖିଥିଲେ। ନିଲ ଖୁବ୍ କମ୍ କଥା କହୁଥିଲେ ଏବଂ ଲିଙ୍କ୍ଡ ଇନ୍ ବ୍ୟତୀତ ଅନ୍ୟ କୌଣସି ସୋସିଆଲ ମିଡିଆରେ ସେ ପ୍ରାୟତଃ ନାହାନ୍ତି।
ଯଦିଓ ସେ ଲକ୍ଷ୍ନୌରେ ଜନ୍ମ ହୋଇଥିଲେ ତଥାପି ତାଙ୍କ ବାପା ଡାକ୍ତର ଆଦିତ୍ୟ ମୋହନ ଏବଂ ମା’ ଦୀପା ମୋହନ ଆମେରିକା ଯିବାରୁ ନିଲଙ୍କ ପିଲାଦିନ ମିସିଗାନ୍ରେ କଟିଥିଲା।
ନିଅଲଙ୍କ ଅନ୍ୟ ଜଣେ ସାଙ୍ଗ ମୋହିତ ଜାଗିଙ୍କ କହିବାନୁଯାୟୀ, ସେ ଆମ ଶ୍ରେଣୀରେ ଟପର ଥିଲେ। ପାଠ ପ୍ରତି ତାଙ୍କର ଅତ୍ୟନ୍ତ ନିଷ୍ଠା ଥିଲା। ଏଥିସହିତ ସେ କ୍ରିକେଟ ଖେଳିବାକୁ ଭଲ ପାଉଥିଲେ। ବର୍ତ୍ତମାନ ତାଙ୍କର ସଫଳତା ପାଇଁ ଆମେ ସମସ୍ତେ ଗର୍ବିତ ବୋଲି ମୋହିତ କହିଛନ୍ତି। କିଙ୍ଗ୍ ଜର୍ଜ ମେଡିକାଲ ୟୁନିଭର୍ସିଟିର ଖ୍ୟାତନାମା ହୃଦରୋଗ ବିଶେଷଜ୍ଞ ଡା ଋଷି ସେଠୀ କୁହନ୍ତି ନିଲ ଜଣେ ମେଧାବୀ ଛାତ୍ର ଥିଲେ ଏବଂ ବିଦ୍ୟାଳୟ ସମୟରୁ ସେ ସାଧାସିଧା ଜୀବନ ବିତାଉଥିଲେ।
୧୯୮୫ ମସିହାରେ ନିଅଲଙ୍କ ପରିବାର ଭାରତ ଫେରି ଆସିଥିଲେ। ୧୯୮୬ରେ ସେ ସେଣ୍ଟ୍ ଫ୍ରାନ୍ସିସ୍ କଲେଜରେ ସପ୍ତମ ଶ୍ରେଣୀରେ ନାମ ଲେଖାଇଥିଲେ। ସେଠାରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ୧୯୯୧ରେ ଦ୍ବାଦଶ ଶ୍ରେଣୀ ପରେ ସେ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ୧୯୯୨ ମସିହାରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପଢ଼ିଥିଲେ।