ଲକ୍ଷ୍ମୌ: କରୋନାର ଦ୍ବିତୀୟ ଲହର ଘାତକ ହେବାରେ ଲାଗିଛି। ପରିସ୍ଥିତି ଏମିତି ହୋଇଛି କି ଯେତେ ଅନୁରୋଧ କଲେ ମଧ୍ୟ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ ମିଳୁ ନଥିବାରୁ ହସ୍ପିଟାଲ ବାହାରେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏମିତି କି ମୃତ୍ୟୁ ପରେ ଶବ ସଂସ୍କାର ପାଇଁ ସ୍ଥାନର ଅଭାବ ପଡ଼ିଲାଣି। ମୃତକଙ୍କ ପରିବାରକୁ ଶବସଂସ୍କାର ପାଇଁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି।
ଲକ୍ଷ୍ମୌର କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟିର ଟ୍ରମା ସେଣ୍ଟରରୁ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ଭାନୁ ପ୍ରତାପ ନାମକ ଜଣେ ବ୍ୟକ୍ତି ଦୁଃଖ ସମ୍ଭାଳି ନ ପାରି ଭୋଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି।
ଭାନୁ ପ୍ରତାପଙ୍କ କହିବାନୁସାରେ, କିଛିଦିନ ତଳେ ମୋ ବଡ଼ ଭାଇଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ସାନ ଭାଇ ଗୁରତର ଥିବାରୁ ତାର ଚିକିତ୍ସା ଚାଲିଛି। ମୋର ବି ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଛି। କିନ୍ତୁ ଚିକିତ୍ସା ପାଇଁ ହସ୍ପିଟାଲରେ ବେଡ ମିଳୁ ନାହିଁ।
ଲକ୍ଷ୍ମୌରେ ପ୍ରତିଦିନ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିର୍ଦେଶ ଦେଇଛନ୍ତି କି ହସ୍ପିଟାଲରେ ବେଡ ସଂଖ୍ୟା ବୃଦ୍ଧି କରାଯାଉ। ଲକ୍ଷ୍ମୌରେ ଗତ ୨୪ଘଣ୍ଟା ମଧ୍ୟରେ ସର୍ବମୋଟ କରୋନା ମାମଲା ୫,୧୭୭ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୬ରେ ପହଞ୍ଚିଛି।
ସେହିପରି ବର୍ତ୍ତମାନ ସୁଦ୍ଧା ଲକ୍ଷ୍ମୌରେ କରୋନା ମାମଲା ୧,୨୭,୨୯୫ରେ ପହଞ୍ଚିଥିବା ବେଳେ ସକ୍ରିୟ ମାମଲା ୩୫,୮୬୫ ରହିଛି। ଏଯାବତ କରୋନାରେ ମୃତ୍ୟୁ ସଂଖ୍ୟା ୧,୪୧୦ରେ ପହଞ୍ଚିଛି।