ଲଖିମପୁର ଖେରି ହିଂସା: କୃଷକମାନଙ୍କ ଉପରେ ଚଢ଼ିଯାଇଥିବା ଗାଡ଼ିରେ ଥିଲେ ସୁମିତ, ଗିରଫ କଲା ପୁଲିସ

ଲକ୍ଷ୍ନୌ: ୟୁପି ପୁଲିସକୁ ମିଳିଲା ବଡ଼ ସଫଳତା। ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ସୁମିତ ଜୈସୱାଲଙ୍କୁ ଗିରଫ କଲା ପୁଲିସ। ଏସଆଇଟି ସୁମିତ ଏବଂ ତାଙ୍କ ସହଯୋଗୀ ନନ୍ଦନ, ଶିଶୁପାଳ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହା ପରେ ଖୁବ୍ ଶୀଘ୍ର ଏହି ଘଟଣାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

ସୂଚନାନୁସାରେ, ସୁମିତ ସେହି ଗାଡ଼ି ଭିତରେ ବସିଥିଲେ, ଯେଉଁ ଗାଡ଼ିଟି ଆନ୍ଦୋଳନରତ ଚାଷୀଙ୍କ ଉପରେ ଚଢ଼ିଯାଇଥିଲା। ସେ ଜିପରୁ ବାହାରି ଦୌଡ଼ି ପଳାଉଥିବା ବେଳେ କିଛି ଲୋକ ତାଙ୍କ ଭିଡିଓ ରେକର୍ଡ କରିଦେଇଥିଲେ, ଯାହା ପରେ ଭାଇରାଲ ହୋଇଥିଲା। ଜିପ୍‌ର ଡ୍ରାଇଭର ଏବଂ ଅନ୍ୟମାନଙ୍କ ମୃତ୍ୟୁ ପରେ ଘଟଣାର ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ଭାବେ ସୁମିତ ଜୈସୱାଲ ହିଁ ପ୍ରକୃତ ତଥ୍ୟ ଦେଇପାରିବେ ଏସଆଇଟି ଆଶା ରଖିଛି।

ସୂଚନାଯୋଗ୍ୟ, ଲଖିମପୁର ଖେରି ହିଂସା ଘଟଣାକୁ ନେଇ ଏସଆଇଟି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗିରଫ କରିସାରିଛି। ତାଙ୍କ ସହିତ ଅଙ୍କିତ ଦାସକୁ ମଧ୍ୟ ପୁଲିସ ଗିରଫ କରିସାରିଛି । ଘଟଣା ଘଟିବା ସମୟରେ ଦୁହେଁ ଘଟଣାସ୍ଥଳରେ ନଥିବା ନେଇ କହିଥିଲେ ବି କିଛି ଚାଷୀ ସେମାନେ ଉପସ୍ଥିତ ଥିବା ନେଇ ଦାବି କରିଥିଲେ। ଏହାକୁ ନେଇ ପୁଲିସ ଦୁହିଁଙ୍କୁ ଗିରଫ କରିବା ସହ ସୁମିତଙ୍କ ଭିଡିଓ ଭାଇରାଲ ପରେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର