ଲକ୍ଷ୍ନୌ: ଜନୈକ ଓକିଲଙ୍କ ହତ୍ୟାକୁ କେନ୍ଦ୍ରକରି ଆଜି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଓକିଲଙ୍କ ହତ୍ୟା ଘଟଣାରେ ଉତ୍ୟକ୍ତ ହୋଇ ଅନ୍ୟ ଓକିଲମାନେ ସଂଘବଦ୍ଧ ଭାବେ ତାଙ୍କ ମୃତଦେହକୁ ସଙ୍ଗରେ ଧରି ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରୁମ୍ ମଧ୍ୟକୁ ପ୍ରବେଶ କରିବା ସହ ମୃତ ଦେହକୁ ତାଙ୍କ ଟେବୁଲ ଉପରେ ରଖି ପ୍ରତିବାଦ କରିବା ସହ ଘଟଣାରେ ସଂପୃକ୍ତ ଥିବା ଅପରାଧୀମାନଙ୍କ ଗିରଫ ଦାବୀ କରିଥିଲେ। ଏଥିସହ ଓକିଲମାନେ ରାସ୍ତା ଅବରୋଧ କରି ପୁଲିସ ବିରୋଧରେ ନାରାବାଜି ମଧ୍ୟ କରିଥିଲେ। ଓକିଲମାନେ ଦୀର୍ଘ ୨ ଘଣ୍ଟା କାଳ ଧରି ଏହିପରି ଭାବେ ପ୍ରତିବାଦ ଚଳାଇବା ପରେ ଶେଷରେ ପୁଲିସ୍ ବହୁ କଷ୍ଟରେ କୋର୍ଟରୁମ୍ ମଧ୍ୟକୁ ପ୍ରବେଶ କରି ପ୍ରତିବାଦ କରୁଥିବା ଓକିଲମାନଙ୍କୁ ବୁଝାସୁଝା କରି କୋର୍ଟ ରୁମ୍ ବାହାରକୁ ଆଣିବା ସହ ମୃତ ଓକିଲଙ୍କ ପାର୍ଥିବ ଶରୀରକୁ ତାଙ୍କ ପରିବାର ବର୍ଗଙ୍କୁ ଅନ୍ତିମ ସଂସ୍କାର ପାଇଁ ଦେଇଥିଲା।
ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ୩୨ ବର୍ଷ ବୟସ୍କ ଆଇନ୍ଜୀବୀ ଶିଶିର ତ୍ରିପାଠୀ ସେହି ଅଞ୍ଚଳରେ ରହୁଥିବା ଅସାମାଜିକ ଯୁବକମାନଙ୍କର ବିରୋଧ କରିବା ସହ ସେମାନେ କରୁଥିବା ଅସାମାଜିକ କାର୍ଯ୍ୟକଳାପର ପ୍ରତିବାଦ କରୁଥିଲେ। ଏହି ଘଟଣାରେ ଉତକ୍ଷିପ୍ତ ହୋଇ ୫ ଜଣ ଯୁବକ ସଂଘବଦ୍ଧ ହୋଇ ହାତରେ ଲାଠି, ଲୁହାରଡ଼୍ ସମେତ ଅନ୍ୟ ମାରଣାସ୍ତ୍ର ସବୁ ହାତରେ ଧରି ରାତି ପ୍ରାୟ ୧୦ଟା ସମୟରେ ତାଙ୍କ ଘର ଭିତରେ ପଶିଥିଲେ। ଏବଂ ସଂପୃକ୍ତ ଓକିଲଙ୍କୁ ତାଙ୍କ ଘର ଭିତରେ ସମସ୍ତଙ୍କ ସମ୍ମୁଖରେ ପିଟିବା ଆରମ୍ଭ କରିଦେଇଥିଲେ। ପରିବାରର ଅନ୍ୟ ସଦସ୍ୟମାନେ ବହୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଏହି ଅସାମାଜିକ ଯୁବକମାନଙ୍କ କବଳରୁ ବଞ୍ଚାଇ ପାରି ନଥିଲେ। ଓକିଲଙ୍କୁ ପିଟିପିଟି ହତ୍ୟା କରିବା ପରେ ଅସାମାଜିକ ଯୁବକମାନେ ଘଟଣାସ୍ଥଳ ଛାଡ଼ି ଚାଲି ଯାଇଥିଲେ। ପରେ, ଘଟଣା ସଂପର୍କରେ ପୁଲିସକୁ ଖବର ଦିଆ ଯାଇଥିଲେ ମଧ୍ୟ ପୁଲିସ୍ ବହୁ ବିଳମ୍ବରେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଆଜି ଦିନ ୧୦ଟା ସୁଦ୍ଧା ଘଟଣାରେ ସଂପୃକ୍ତ ଥିବା କୌଣସି ଅପରାଧୀକୁ ଗିରଫ କରିବାରେ ସମର୍ଥ ହୋଇ ନଥିଲା।
/sambad/media/post_attachments/wp-content/uploads/2020/01/UP.jpg)
ପୁଲିସ୍ର ଏପ୍ରକାର ନିଷ୍କ୍ରିୟତାରେ ଉତ୍ୟକ୍ତ ହୋଇ ଅନ୍ୟ ଓକିଲମାନେ ସଂଘବଦ୍ଧ ଭାବେ ତାଙ୍କ ମୃତଦେହକୁ ସଙ୍ଗରେ ଧରି ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରୁମ୍ ମଧ୍ୟକୁ ପ୍ରବେଶ କରିବା ସହ ମୃତ ଦେହକୁ ତାଙ୍କ ଟେବୁଲ ଉପରେ ରଖି ପ୍ରତିବାଦ କରିବା ସହ ଘଟଣାରେ ସଂପୃକ୍ତ ଥିବା ଅପରାଧୀମାନଙ୍କ ଗିରଫ ଦାବୀ କରିଥିଲେ।