କାହିଁକି ୮୦ବର୍ଷୀୟ ମାଲିକାଣୀକୁ କାମୁଡ଼ି ମାରିଲା ପିଟବୁଲ କୁକୁର? ରିସର୍ଚ୍ଚ କରିବେ ୪ଜଣିଆ ଟିମ

ଲକ୍ଷ୍ନୌ: ଗତକାଲି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପିଟବୁଲ କୁକୁର ଆକ୍ରମଣରେ ୮୦ବର୍ଷ ବୟସ୍କା ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସକ୍ରିୟ ହୋଇଛି ଲକ୍ଷ୍ନୌ ମ୍ୟୁନିସିପାଲିଟି କର୍ପୋରେସନ୍ । ଆଜି ପିଟବୁଲକୁ ମୃତ ମାଲିକାଣୀଙ୍କ ଘରୁ ନିଆଯାଇ ମ୍ୟୁନିସିପାଲିଟି କର୍ପୋରେସନର ପଶୁ ଜନ୍ମ ନିୟନ୍ତ୍ରଣ କେନ୍ଦ୍ରରେ ରଖାଯାଇଛି। ଏହା ସହିତ ପିଟବୁଲର ଲାଇସେନ୍ସ ପ୍ରତ୍ୟାହାର କରାଯାଇଛି। ମଙ୍ଗଳବାର ସକାଳେ କାଇଜର୍‌ବାଗ୍‌ର ବେଙ୍ଗଲି ତୋଲା ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ୮୨ ବର୍ଷୀୟ ଶିକ୍ଷୟିତ୍ରୀଙ୍କୁ ତାଙ୍କ ପୋଷା ‘ପିଟ୍ବୁଲ୍‌’ ପ୍ରଜାତିର କୁକୁର କାମୁଡ଼ି ମାରି ପକାଇଥିଲା।

ଲକ୍ଷ୍ନୌ ମ୍ୟୁନିସିପାଲିଟି କର୍ପୋରେସନ୍ ଅଧିକାରୀମାନେ କହିଛନ୍ତି ଯେ ଆମେ ପିଟବୁଲର ଲାଇସେନ୍ସ ବାତିଲ କରି ତାକୁ ଆଣି ଏକ ସ୍ୱତନ୍ତ୍ର ଯନ୍ତ୍ରା‌ରେ ରଖିଛୁ। ଏହା ସହ ତାର ସ୍ବଭାବ ଉପରେ ଅନୁସନ୍ଧାନ କରିବା ପାଇଁ ଚାରି ଜଣିଆ ଏକ ପ୍ୟାନେଲ୍ ଗଠନ କରାଯାଇଛି, ଯେଉଁମାନେ ପିଟବୁଲଟି ମାଲିକାଣୀକୁ କାହିଁକି ଆକ୍ରମଣ କଲା, ତାହା ଜାଣିବାକୁ ଚେଷ୍ଟା କରିବେ।

ଉଲ୍ଲେଖଯୋଗ୍ୟ, ସକାଳ ପ୍ରାୟ ୬ଟାରେ ଘଟଣା ଘଟିବା ବେଳେ ବୃଦ୍ଧା ଘରେ ଏକା ଥିଲେ। ପୁଅ ସବୁଦିନ ପରି ଭୋର୍‌ ୫.୩୦ରେ ‘ଜିମ୍‌’କୁ ଯାଇଥିଲେ। ସକାଳ ପ୍ରାୟ ୬ଟା ବୃଦ୍ଧାଙ୍କ ଚିତ୍କାର ଓ ପିଟବୁଲ ଭୁକିବା ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ। ମାତ୍ର ଭିତରପଟୁ କବାଟ ବନ୍ଦ ଥିବାରୁ ସେମାନେ କିଛି କରିପାରି ନ ଥିଲେ। ପୁଅ ‘ଜିମ୍‌’ରୁ ଫେରି କବାଟ ଖୋଲି ଦେଖିଲା ବେଳକୁ ମାଆ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ିଥିଲେ। ତୁରନ୍ତ ତାଙ୍କୁ ବଳରାମପୁର ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ଅତ୍ୟଧିକ ରକ୍ତକ୍ଷୟ ହେତୁ ତାଙ୍କର ଜୀବନ ରକ୍ଷା କରିବା ସମ୍ଭବପର ହୋଇନଥିଲା। ବୃଦ୍ଧାଙ୍କ ବେକରୁ ପେଟ ପର୍ଯ୍ୟନ୍ତ ସମୁଦାୟ ୧୨ଟି ଗଭୀର କ୍ଷତ ଥିବା ବୋଲି ଡାକ୍ତର କହିଥିଲେ।

ସମ୍ବନ୍ଧିତ ଖବର