ନୂଆଦିଲ୍ଳ: ଏସ୍ଡିଏମ୍ ଜ୍ୟୋତି ମୌର୍ଯ୍ୟ ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତି ମହୋବାର ଜିଲ୍ଳା କମାଣ୍ଡେଣ୍ଟ୍ ମନିଷ ଦୁବେ। ତାଙ୍କର ଏସ୍ଡିଏମ୍ ଜ୍ୟୋତିଙ୍କ ସହ ପରକୀୟା ପ୍ରୀତି ଥିବା ପରି ଗମ୍ଭୀର ଆରୋପ ଲାଗିିଛି। ଏହି ଅଭିଯୋଗକୁ ଭିତ୍ତି କରି ତଦନ୍ତ ହୋଇ ମନିଷଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏବେ ତାଙ୍କୁ ନିଲମ୍ବନ କରାଯିବ ବୋଲି ସୂଚନା ରହିଛି। ଆପଣ ଜାଣନ୍ତି ଯେ ଗତ ୩ ସପ୍ତାହ ହେବ ଇଣ୍ଟର୍ନେଟ୍ରେ ଏହି ବିଷୟ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା।
ମନିଷ ଦୁବେଙ୍କୁ ନେଇ ଜିଆଇଜି ହୋମଗାର୍ଡ ସନ୍ତୋଷ ସିଂହ ତାଙ୍କର ତଦନ୍ତ ରିପୋର୍ଟ ଡିଜି ହୋମଗାର୍ଡ ବିକେ ମୌର୍ଯ୍ୟଙ୍କୁ ହସ୍ତାନ୍ତର କରିଛନ୍ତି। ତଦନ୍ତ ରିପୋର୍ଟରେ ମନିଷଙ୍କ ବିରୋଧରେ ରହିଥିବା ୩ଟି ମାମଲା ବିଷୟରେ ଉଲ୍ଲେଖ ହୋଇଛି। ମନିଷ ବିଭାଗର ଭାବମୂର୍ତ୍ତିକୁ ଖରାପ କରିଛନ୍ତି ବୋଲି ସାବ୍ୟସ୍ତ ହେବା ପରେ ତାଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାରୁ ପ୍ରକାଶ ଯେ ମନିଷଙ୍କ ନାମରେ ୩ଟି ମାମଲା ରହିଛି। ପ୍ରଥମ ଅଭିଯୋଗ ଆଣିଛନ୍ତି ଜ୍ୟୋତି ମୌର୍ଯ୍ୟଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟ। ସେ ଅଭିଯୋଗ ଆଣିଛନ୍ତି ଯେ ମନିଷ ଦୁବେଙ୍କ ସହ ଥିବା ପ୍ରେମ ସଂପର୍କ ପାଇଁ ତାଙ୍କ ପତ୍ନୀ ତାଙ୍କ ସହ ପ୍ରତାରଣା କରିଛନ୍ତି।
ଦ୍ବିତୀୟ ଅଭିଯୋଗ ଆଣିଛନ୍ତି ଅମରୋହା ଜିଲ୍ଲାର ଜଣେ ମହିଳା ହୋମାଗାର୍ଡ। ସେ ଅଭିଯୋଗ ଆଣିଛନ୍ତି ଯେ ତାଙ୍କୁ ମନିଷ ଏକା ଦେଖା କରିବାକୁ ଡାକିଥିଲେ। ଯେତେବେଳେ ସେ ଗଲେ ନାହିଁ ତ ମନିଷ ତାଙ୍କ ଡ୍ୟୁଟି ଉପରେ ରୋକ ଲଗାଇଦେଲେ।
ତୃତୀୟ ଅଭିଯୋଗ ଆଣିଛନ୍ତି ମନିଷଙ୍କ ପତ୍ନୀ। ସେ ଅଭିଯୋଗ ଆଣିଛନ୍ତି ଯେ ବିବାହ ପରେ ମନିଷ ତାଙ୍କୁ ତାଙ୍କ ବାପାଙ୍କଠାରୁ ୮୦ ଲକ୍ଷ ଟଙ୍କାର ଯୌତୁକ ଆଣିବାକୁ ଚାପ ପକାଉଛନ୍ତି।