ନୂଆଦିଲ୍ଲୀ: ଲକ୍ଷ୍ମୌର ଏକ ହାଉସିଂ ସୋସାଇଟିର ୧୦ମ ମହଲା କୋଠାରୁ ସନ୍ଦିଗ୍ଧ ଅବସ୍ଥାର ତଳେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ବାପା ଝିଅର ମୃତ୍ୟୁ ପଛରେ ଜ୍ବାଇଁଙ୍କ ହାତ ଅଛି ବୋଲି ପୁଲିସ ନିକଟରେ ଅଭିଯୋଗ କରି କହିଛନ୍ତି। ମୃତକ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ଯାଞ୍ଚ ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ, ଏହି ଘଟଣା ଏସଜିପିଜିଆଇ ଥାନା ଅଞ୍ଚଳ ଅନ୍ତର୍ଗତ ବୃନ୍ଦାବନ ଯୋଜନାର ଅରାବଲି ଏନକ୍ଲେବ ସୋସାଇଟିରେ ସନ୍ଧ୍ୟା ସମୟରେ ଘଟିଥିଲା। ଜଣେ ମହିଳାଙ୍କ ୧୦ମ ମହଲାରୁ ପଡ଼ିଯିବାରୁ ମୃତ୍ୟୁ ହୋଇଯାଇଛି। ମୃତ ମହିଳାଙ୍କ ଦୁଇଜଣ ସନ୍ତାନ ଅଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ, ମହିଳାଙ୍କ ବାପା ଶାରଦା ପ୍ରସାଦ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ । ଶାରଦା ପ୍ରସାଦ ଅଭିଯୋଗ କରି କହିଛନ୍ତି, ‘ମୋର ଜ୍ବାଇଁ ହିଁ ଝିଅକୁ ହତ୍ୟା କରିଛନ୍ତି। ସେ ମୋ ଝିଅକୁ ୧୦ମ ମହଲାରୁ ତଳକୁ ଠେଲି ଦେଇଛନ୍ତି। କାରଣ ବିବାହ ପରଠାରୁ ସେ ମୋ ଝିଅ ପ୍ରୀତିକୁ ଟଙ୍କା ପାଇଁ ସବୁବେଳେ ହଇରାଣ କରୁଥିଲେ। ସେ ଘରୁ ଚାଲି ଯାଉ ବୋଲି ସବୁବେଳେ ଚାହୁଁଥିଲେ।
ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପ୍ରୀତିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହିତ ପ୍ରୀତି ସହିତ ଜଡ଼ିତ ଥିବା ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ବୟାନ ରେକର୍ଡ କରି ଯାଞ୍ଚ ଜାରି ରଖିଛି ପୁଲିସ। ପ୍ରୀତିଙ୍କ ସ୍ବାମୀ ଫେରାର ରହିଛନ୍ତି। ଖୁବଶୀଘ୍ର ତାଙ୍କୁ ଧରିବା ପାଇଁ ପୁଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/07/tF5LDFEIOT8YIVfOlTk0.jpg)