ଲୁଧିଆନା: ପଞ୍ଜାବର ଲୁଧିଆନାରେ ଦେଖିବାକୁ ମିଳିଛି ଏକ ଚାଞ୍ଚଲ୍ୟକର ଘଟଣା। ଆମେରିକାର ୬୯ ବର୍ଷୀୟା ମହିଳା ରୂପିନ୍ଦର କୌର ପାନ୍ଧେରଙ୍କୁ ଲୁଧିଆନାଠାରେ ହତ୍ୟା କରାଯାଇଛି। ଜଣାପଡ଼ିଛି ଯେ ମହିଳା ଜଣକ ତାଙ୍କ ୬୭ ବର୍ଷୀୟ ମଙ୍ଗେତରଙ୍କୁ ବିବାହ କରିବା ପାଇଁ ଆମେରିକାରୁ ଲୁଧିଆନାକୁ ଆସିଥିଲେ। ମାତ୍ର ତାଙ୍କ ମଙ୍ଗେତର ଲଂଣ୍ଡନରେ ରହି ମହିଳାଙ୍କର ହତ୍ୟା କରାଇଛନ୍ତି।

Advertisment

ଲୁଧିଆନା ନିକଟସ୍ଥ ଘୁଙ୍ଗରାନା ଗାଁର ଏକ ନାଳରୁ ରୂପିନ୍ଦରଙ୍କ କଙ୍କାଳ ଶରୀର ଉଦ୍ଧାର କରାଯାଇଥିଲା। ଏଠାକୁ ଆସିବା ପରେ, ରୂପିନ୍ଦର ରହସ୍ୟମୟ ଭାବରେ ନିଖୋଜ ହୋଇଗଲେ। ପୁଲିସ ଏବେ ଏହି ହତ୍ୟାକାଣ୍ଡର କାହାଣୀର ପର୍ଦ୍ଦାଫାସ କରିଛି।

ପୁଲିସ ଅପରାଧ ସ୍ଥଳରୁ ମହିଳାଙ୍କ କ୍ଷତିଗ୍ରସ୍ତ ଆଇଫୋନ ମଧ୍ୟ ପାଇଥିଲା, ଯାହାକୁ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ସେଠାରେ ଫିଙ୍ଗି ଦେଇଥିଲେ।ତଦନ୍ତରୁ ଜଣାପଡିଛି ଯେ ରୁପିନ୍ଦରଙ୍କୁ ତାଙ୍କ ନିଜ ମଙ୍ଗେତର ହତ୍ୟା କରିଥିଲେ, ଯିଏ ଇଂଲଣ୍ଡରେ ରହୁଥିଲେ।। ଲୁଧିଆନା ଡିସିପି କହିଛନ୍ତି ଯେ ଏହି ହତ୍ୟାକାଣ୍ଡର ରୂପିନ୍ଦର କୌରଙ୍କ 67 ବର୍ଷୀୟ ମଙ୍ଗେତର ଚରଣଜିତ ସିଂହ ଗ୍ରେୱାଲ ଷଡଯନ୍ତ୍ର କରିଥିଲେ।

ଚରଣଜିତ ୟୁକେରେ ରୁହନ୍ତି। ସେ ବିବାହରୁ ଓହରିଯାଇ ରୂପିନ୍ଦରଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। ଏଥିପାଇଁ ସେ ତାଙ୍କ ପରିଚିତ ସୁଖଜିତ ସିଂହଙ୍କୁ ପାୱାର ଅଫ୍‌ ଅ‌ାଟର୍ଣ୍ଣି ଦେଇଥିଲେ। ସୁଖଜିତ ସିଂହ କିଲା ରାୟପୁରର କୋର୍ଟ କମ୍ପ୍ଲେକ୍ସରେ ଟାଇପିଷ୍ଟ ଭାବରେ କାମ କରନ୍ତି। ପଚରାଉଚରା ସମୟରେ ସୁଖଜିତ ପୁଲିସ ନିକଟରେ ସ୍ୱୀକାର କରିଛନ୍ତି ଯେ ସେ ରୂପିନ୍ଦରଙ୍କୁ ହତ୍ୟା କରିଛନ୍ତି।