ଲୁହ୍ରି ଜଳବିଦ୍ୟୁତ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ମିଳିବ ୭୭୫ କୋଟି ୟୁନିଟ ବିଜୁଳି

ସିମଲା: କେନ୍ଦ୍ର ସରକାର ହିମାଚଳ ପ୍ରଦେଶରେ ନିର୍ମାଣ ହେବାକୁ ଥିବା ୨୧୦ ମେଗାୱାଟ କ୍ଷମତା ବିଶିଷ୍ଟ ଲୁହ୍ରି ଜଳବିଦ୍ୟୁତ ପ୍ରକଳ୍ପ ବାବଦରେ ଘୋଷଣା କରିଛନ୍ତି। ଏହି ଜଳବିଦ୍ୟୁତ ପ୍ରକଳ୍ପକୁ ଆଜି ମୋଦୀ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଏହି ୧୦ ମେଗାୱାଟ ପ୍ରକଳ୍ପ ପାଇଁ ୧୮୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ଆଉ ସମ୍ପୂର୍ଣ୍ଣ ହେବା ପରେ ଏହି ଜଳବିଦ୍ୟୁତ ପ୍ରକଳ୍ପରୁ ପ୍ରତି ବର୍ଷ ୭୭୫ କୋଟି ୟୁନିଟ୍ ବିଦ୍ୟୁତ୍ ମିଳିବ |

ସତଲେଜ ନଦୀ ଉପରେ ନିର୍ମାଣ ହେବାକୁ ଥିବା ଏହି ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାହାଯ୍ୟ କରିବେ। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଲୁହ୍ରି ଜଳବିଦ୍ୟୁତ ପ୍ରକଳ୍ପରୁ ଦୁଇ ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ହିମାଚଳ ପ୍ରଦେଶକୁ ୧୧୪୦ କୋଟି ଟଙ୍କାର ମାଗଣା ବିଦ୍ୟୁତ ମିଳିବ |

ଏହି ପ୍ରକଳ୍ପ ପାଇଁ ଯେଉଁମାନେ ଜମି ହରାଇବେ ସେମାନଙ୍କୁ ୧୦ ବର୍ଷ ପାଇଁ ପ୍ରତି ମାସରେ ୧୦୦ ୟୁନିଟ୍ ବିଦ୍ୟୁତ ମାଗଣାରେ ଯୋଗାଇଦିଆଯିବ | ସତଲେଜ ଜଳ ବିଦ୍ୟୁତ ନିଗମ ଲିମିଟେଡ଼ ଏହି ଜଳ ବିଦ୍ୟୁତ ପ୍ରକଳ୍ପକୁ ନିର୍ମାଣ କରିବାକୁ ଥିବାବେଳେ ୬୨ ମାସ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି |

ସମ୍ବନ୍ଧିତ ଖବର