ରିଓ ଡି ଜେନ୍ରୋ: ଲୁଲା ନାମରେ ସୁପରିଚିତ ବିଶିଷ୍ଟ ବାମପନ୍ଥୀ ଲୁଇଜ୍ ଇନାସିଓ ଲୁଲା ଡା ସିଲ୍ଭା ରବିବାର ଦିନ ରାଷ୍ଟ୍ରପତୀୟ ନିର୍ବାଚନରେ ବିଜୟୀ ହୋଇ ବ୍ରାଜିଲ୍ର ୩୯ତମ ରାଷ୍ଟ୍ରପତି ହୋଇଛନ୍ତି।
ତୀବ୍ର ପ୍ରତିଦ୍ବନ୍ଦ୍ବିତାରେ ଲୁଲା ସମ୍ପ୍ରତି ବ୍ରାଜିଲ୍ର ରାଷ୍ଟ୍ରପତି ଥିବା ଉଗ୍ର ଦକ୍ଷିଣପନ୍ଥୀ ବୋସୋନାରୋଙ୍କୁ ସ୍ବଳ୍ପ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ‘ସୁପ୍ରିମ୍ ଇଲେକ୍ଟୋରାଲ୍ କୋର୍ଟ ଅଫ୍ ଦି କଣ୍ଟ୍ରି’ କହିବା ଅନୁସାରେ, ବୋଲ୍ସୋନାରୋ ୪୯.୧% ଭୋଟ୍ ପାଇଥିବା ବେଳେ ଲୁଲା ୫୦.୯% ଭୋଟ୍ ପାଇଛନ୍ତି।
ବାମପନ୍ଥୀ ଗଣତାନ୍ତ୍ରିକ ନେତା ଲୁଲା ତୃତୀୟ ଥର ପାଇଁ ବ୍ରାଜିଲ୍ର ରାଷ୍ଟ୍ରପତି ହେବେ। ପୂର୍ବରୁ ୨୦୦୩ରୁ ୨୦୧୦ ପର୍ଯ୍ୟନ୍ତ ସେ ଦୁଇ ପାଳି ବ୍ରାଜିଲ୍ର ରାଷ୍ଟ୍ରପତି ହୋଇଥିଲେ।
ରବିବାର ରାତିରେ ଦେଇଥିବା ଭାଷଣରେ ଲୁଲା କହିଛନ୍ତି, ବିଭାଜିତ ହୋଇଯାଇଥିବା ଦେଶକୁ ସେ ଏକତ୍ର କରି ସୁନିଶ୍ଚିତ ହେବେ ଯେ, ବ୍ରାଜିଲୀୟମାନେ କଦାପି ଉଠାଇବା ଅନୁଚିତ ଥିବା ଅସ୍ତ୍ର ପରିହାର କରିଛନ୍ତି।
ଏହାଛଡ଼ା, ଆମେଜନ୍ ଉଷ୍ମମଣ୍ଡଳୀୟ ଅରଣ୍ୟ ସଂରକ୍ଷଣ ଏବଂ ବୈଶ୍ବିକ ବାଣିଜ୍ୟକୁ ଆହୁରି ନିରପେକ୍ଷ କରିବା ନିମନ୍ତେ ସେ ଆନ୍ତର୍ଜାତିକ ସହଯୋଗ ଲୋଡ଼ିଛନ୍ତି ବୋଲି ‘ରଏଟର୍ସ’ ରିପୋର୍ଟ କରିଛି।
କୋଭିଡ୍-୧୯ ମୁକାବିଲା କ୍ଷେତ୍ରରେ ରାଷ୍ଟ୍ରପତି ଜାଇର୍ ବୋଲ୍ସୋନାରୋଙ୍କ ଖାମ୍ଖିଆଲି ମନୋଭାବ ଯୋଗୁଁ ଦେଶରେ ୭ ଲକ୍ଷ ଜନତାଙ୍କ ମୃତ୍ୟୁ, ଦେଶର ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାରେ ବିଫଳତା ଏବଂ ଦେଶର ଋଣ ଓ ଅଭିବୃଦ୍ଧି ଶୋଚନୀୟ ହୋଇପଡ଼ିବା ଏହି ନିର୍ବାଚନ ଫଳାଫଳ ଦର୍ଶାଉଛି ବୋଲି ସମୀକ୍ଷକମାନେ କହୁଛନ୍ତି।
ଇଲେକ୍ଟ୍ରୋନିକ୍ ପଦ୍ଧତି ହୋଇଥିବା ବ୍ରାଜିଲ୍ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ମତଦାନ ଶେଷ ହେବାର ୨ ଘଣ୍ଟା ମଧ୍ୟରେ ପ୍ରକାଶ ପାଇଥିଲା। ରବିବାର ସନ୍ଧ୍ୟା ୫ଟାରେ ମତଦାନ ଶେଷହୋଇଥିଲା।
ଜାନୁଆରି ୧ ତାରିଖରେ ଲୁଲା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।