ନାଗପୁର: କାନାଡାରେ ମାସକୁ ୩୦ ହଜାର ଡଲାରର ଚାକିରି ଲୋଭ ଯୁବ ବିଜ୍ଞାନୀ ନିଶାନ୍ତ ଅଗ୍ରଓ୍ଵାଲଙ୍କ ପାଇଁ ମହଙ୍ଗା ପଡ଼ିଛି ବୋଲି ବୁଧବାର ଉତ୍ତର ପ୍ରଦେଶର ଏଟିଏସ୍ର ପଚରାଉଚରା ପରେ ଜାଣିବାକୁ ମିଳିଛି। ବ୍ରହ୍ମସ୍ ଏରୋସ୍ପେସ୍ ପ୍ରାଇଭେଟ୍ ଲିମିଟେଡ୍ରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ନିଶାନ୍ତଙ୍କୁ ପାକିସ୍ଥାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇରେ ଗୁପ୍ତଚର ଭାବେ କାର୍ଯ୍ୟ କରୁଥିବା ଅଭିଯୋଗରେ ସୋମବାର ଗିରଫ କରାଯାଇ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିଲା। ନିଶାନ୍ତ ପାକିସ୍ଥାନୀ ଏଜେଣ୍ଟ୍ମାନଙ୍କ ସହିତ ସୁପର୍ସୋନିକ୍ ମିସାଇଲ୍ ପ୍ରକଳ୍ପର ତଥ୍ୟ ସେୟାର୍ କରିଛନ୍ତି ବୋଲି ଅଭିଯୋଗ ରହିଛି।
ମାତ୍ର ଉତ୍ତର ପ୍ରଦେଶର ଏଟିଏସ୍ର ଅନୁରୋଧ କ୍ରମେ ଏହି ମାମଲାରେ ନାଗପୁର କୋର୍ଟ ମଙ୍ଗଳବାର ନିଶାନ୍ତ ଅଗ୍ରଓ୍ଵାଲଙ୍କୁ ତିନି ଦିନିଆ ରିମାଣ୍ଡରେ ଯିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ବୁଧବାର ସକାଳୁ ଏଟିଏସ୍ ଟିମ୍ ନିଶାନ୍ତଙ୍କୁ ଲକ୍ଷ୍ନୌ ଆଣି ପଚରାଉଚରା କରିବା ବେଳେ ନିଶାନ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।
ନିଶାନ୍ତଙ୍କ ଉପରେ ଲାଗିଥିବା ଗୁପ୍ତଚର ଅଭିଯୋଗକୁ ନିଶାନ୍ତ ଖଣ୍ଡନ କରି କହନ୍ତି, କାନାଡାରେ ତାଙ୍କର ଜଣେ ବନ୍ଧୁ ରହନ୍ତି। ବନ୍ଧୁଙ୍କ ନାମ ସେଜଲ୍ କପୁର୍। ଉକ୍ତ ବନ୍ଧୁଙ୍କ ସହ ସେ ରୀତିମତ ଭାବେ ସୋସିଆଲ୍ ମିଡିଆରେ ସଂଯୋଗରେ ରହନ୍ତି। ସେଜଲ୍ ତାଙ୍କୁ ୩୦ ହଜାର ଡଲାରର ଏକ ଚାକିରି ଦେବେ ବୋଲି ପ୍ରଲୋଭନ ଦେଖାଇଥିଲେ। ଚାକିରି ପାଇଁ ଏହି ଲିଙ୍କ୍ରେ ଯିବାକୁ କହି ବନ୍ଧୁ ସେଜଲ୍ ନିଶାନ୍ତଙ୍କୁ ଏକ ଲିଙ୍କ୍ ପଠାଇଲେ। ନିଶାନ୍ତ ସେହି ଲିଙ୍କ୍କୁ କ୍ଲିକ୍ କରିଦେଲେ, ତାହା ଥିଲା ମାଲ୍ଓ୍ଵାର୍। ସେହି ମାଲ୍ଓ୍ଵାର୍ ଡାଉନ୍ଲୋଡ ହୋଇଯିବା ପରେ ତାଙ୍କ କମ୍ପୁଟରରୁ ଆପେ ଆପେ ସବୁ ଡାଟା ଚୋରି ହୋଇ ଯାଇଥିଲା।
ସୂତ୍ରରୁ ଏକଥା ଜାଣିବାକୁ ମିଳିଛି ଯେ ନିଶାନ୍ତଙ୍କୁ ଏହା ବି ଜଣାନାହିଁ ଯେ କେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତାଙ୍କ କମ୍ପୁଟରରୁ ଚୋରି ହୋଇଛି।