ଗୀତିକାର ସିରିଭେନେଲା ସେଥାରାମ ଶାସ୍ତ୍ରୀଙ୍କ ପରଲୋକ

ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ : ଫୁସ୍‌ଫୁସ ଜନିତ ରୋଗରେ ଗତକାଲି ପ୍ରସିଦ୍ଧ ତେଲୁଗୁ ଗୀତିକାର ସିରିଭେନେଲା ସେଥାରାମା ଶାସ୍ତ୍ରୀଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟରରେ ଲେଖିଛନ୍ତି, ‘ସିରିଭେନେଲା ସେଥାରାମା ଶାସ୍ତ୍ରୀଙ୍କ ଦେହାନ୍ତରେ ମୁଁ ଦୁଃଖିତ। ତେଲୁଗୁକୁ ଲୋକପ୍ରିୟ କରିବା ପାଇଁ ସେ ଅନେକ ପ୍ରୟାସ କରିଥିଲେ। ତାଙ୍କ ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କ ପ୍ରତି ଗଭୀର ସମବେଦନା।’ କିଛିଦିନ ହେଲା ସିରିଭେନେଲା ସେଥାରାମା ଶାସ୍ତ୍ରୀ ଫୁସ୍‌ଫୁସ୍‌ ଜନିତ ରୋଗରେ ପୀଡ଼ିତ ଥିଲେ। ଗତ ୨୪ ତାରିଖରେ ତାଙ୍କୁ ସିକନ୍ଦରାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭତ୍ତିର୍ କରାଯାଇଥିଲା। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କୁ ଚିକିତ୍ସା କରୁଥିଲେ। ୩୦ ତାରିଖ (ମଙ୍ଗଳବାର) ଦିନ ତାଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ସେଥାରାମାଙ୍କ ଦୁଇ ପୁଅ ହେଉଛନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଯୋଗେଶ୍ୱର ଶର୍ମା ଏବଂ ଅଭିନେତା ରାଜା କେମ୍ବୋଲୁ।

ସମ୍ବନ୍ଧିତ ଖବର