କ୍ଷମତାରେ ମୋଦୀଙ୍କ ୨୦ ବର୍ଷ

ନୂଆଦିଲ୍ଲୀ : ଗୋଟିଏ ସରକାରର ମୁଖ୍ୟ ଭାବେ ୨୦ ବର୍ଷ ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ୨୦ ବର୍ଷ ମଧ୍ୟରେ ୧୩ ବର୍ଷ ସେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ୭ ବର୍ଷ ଦେଶର ପ୍ରଧାନମନ୍ତ୍ରୀ ରହିଛନ୍ତି । ଏହି ସଫଳତାକୁ ନେଇ ଆଜି ବିଭିନ୍ନ ବର୍ଗର ଲୋକେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଆଜି ଉତ୍ତରାଖଣ୍ଡର ଋଷିକେଶରେ ଉଦବୋଧନ ଦେଇ ମୋଦୀ କହିଛନ୍ତି “କେବେ ଭାବିନଥିଲି ଯେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଉନ୍ନୀତ ହୋଇ ଦେଶର ପ୍ରଧାନମନ୍ତ୍ରୀ ହେବି ବୋଲି । ବିଗତ କିଛି ଦଶନ୍ଧି ଧରି ମୁଁ ଲୋକମାନଙ୍କ ସେବା କରିଆସିଛି । କିନ୍ତୁ ୨୦ ବର୍ଷ ତଳେ ଆଜିର ଦିନରେ ମୋତେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଏକ ନୂଆ ଦାୟିତ୍ବ ଦିଆଯାଇଥିଲା”  ।

ମୋଦୀଙ୍କୁ ଅଭିନନ୍ଦନ ଜଣାଇ ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି ଯେ ତାଙ୍କ ନେତୃତ୍ବରେ ଭାରତ ବିଶ୍ବର ଏକ ଶକ୍ତିଶାଳୀ ଦେଶଭାବେ ଉଭା ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୭, ୨୦୦୧ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତାହାର ୫ ମାସ ଅର୍ଥାତ ଫେବ୍ରୁଆରି ୨୭ରେ ଗୋଧ୍ରା ଟ୍ରେନ ପୋଡ଼ି ଘଟଣା ଘଟିଥିଲା । ତା’ପରେ ଗୁଜୁରାଟରେ ଏକ ଭୟଙ୍କର ସାଂପ୍ରଦାୟିକ ଦଙ୍ଗା ହୋଇଥିଲା । ଏହାକୁ ନେଇ ମୋଦୀଙ୍କ ଉପରେ ଅନେକ ଅଭିଯୋଗ ଆସିଥିଲା । କିନ୍ତୁ ପରେ ସେ ସୁପ୍ରିମକୋର୍ଟରୁ ଦୋଷମୁକ୍ତ ହୋଇଥିଲେ । ୨୦୧୩ରେ ମୋଦୀଙ୍କୁ ବିଜେପି ନିଜର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିଥିଲା । ୨୦୧୪ରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ନିର୍ବାଚନ ଜିତିବା ପରେ ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ୨୦୧୯ରେ ପୁଣି ବିଜେପି ଜିତିବା ପରେ ମୋଦୀ ୨ୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ।

ସମ୍ବନ୍ଧିତ ଖବର