ମା ସରସ୍ବତୀ ପାତରଅନ୍ତର କରନ୍ତି ନାହିଁ: ରାହୁଲ୍‌ ଗାନ୍ଧୀ

ନୂଆଦିଲ୍ଲୀ: ବିଦ୍ୟାଦାନରେ ମା ସରସ୍ବତୀ ପାତରଅନ୍ତର କରନ୍ତି ନାହିଁ ବୋଲି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ କର୍ଣ୍ଣାଟକ କଲେଜର ଶ୍ରେଣୀଗୃହରେ ସଂଖ୍ୟାଲଘୁ ଶିକ୍ଷାର୍ଥୀମାନେ ହିଜାବ୍‌ ପିନ୍ଧିବା ଦାବି ଯୋଗୁଁ ସୃଷ୍ଟି ହୋଇଥିବା ବିବାଦ ଉପରେ ମନ୍ତବ୍ୟ ଦେଇ କହିଛନ୍ତି।

ଶ୍ରେଣୀଗୃହ ମଧ୍ୟରେ ହିଜା୍ବ‌ ପିନ୍ଧିବାକୁ କଲେଜ କର୍ତ୍ତୃପକ୍ଷ ଅନୁମତି ନ ଦେବା ଲାଗି ଗ୍ରହଣ କରିଥିବା ନିଷ୍ପତ୍ତି ପ୍ରତି ପ୍ରକାରାନ୍ତରେ ଇଙ୍ଗିତ ଦେଇ ରାହୁଲ୍‌ ଟୁଇଟ୍‌ କରିଛନ୍ତି, ଶିକ୍ଷା କ୍ଷେତ୍ରରେ ଶିକ୍ଷାର୍ଥୀଙ୍କ ହିଜାବ୍‌କୁ ବାଧକ ସଜାଇ ଆମେ ଭାରତର ସନ୍ତତିମାନଙ୍କର ଭବିଷ୍ୟତ ଲୁଟ୍‌ କରୁଛନ୍ତି। ମା ସରସ୍ବତୀ ସମସ୍ତଙ୍କୁ ଜ୍ଞାନ ଦାନ କରନ୍ତି। ସେ ପାତରଅନ୍ତର କରନ୍ତି ନାହିଁ।

Image Courtesy of India Today

ରାହୁଲ୍‌ଙ୍କ ଟୁଇଟ୍‌ରେ ପ୍ରତିକ୍ରିୟାଶୀଳ ହୋଇ କର୍ଣ୍ଣାଟକ ‘ବିଜେପି’ ତାଙ୍କୁ ସମାଲୋଚନା କରି କହିଛି ଯେ, ସେ ଶିକ୍ଷାକୁ ସାମ୍ପ୍ରଦାୟିକ କରୁଛନ୍ତି। ଟୁଇଟ୍‌ କରି କର୍ଣ୍ଣାଟକ ‘ବିଜେପି’ ଲେଖିଛି: ଶିକ୍ଷାକୁ ସାମ୍ପ୍ରଦାୟିକ କରି କଂଗ୍ରେସର ସହ-ସତ୍ବାଧିକାରୀ ରାହୁଲ୍‌ ଗାନ୍ଧୀ ପୁଣି ଥରେ ପ୍ରମାଣ କରିଛନ୍ତି ଯେ, ସେ ଭାରତର ଭବିଷ୍ୟତ ପାଇଁ ବିପଜ୍ଜନକ। ଶିକ୍ଷିତ ହେବାକୁ ଯଦି ଜିହାବ୍‌ ଅତ୍ୟାବଶ୍ୟକ, ତେବେ କଂଗ୍ରେସ ଶାସିତ ରାଜ୍ୟମାନଙ୍କରେ ରାହୁଲ୍‌ ଗାନ୍ଧୀ ଏହାକୁ ବାଧ୍ୟତାମୂଳକ କରୁନାହାନ୍ତି କାହିଁକି?

ସୂଚନାଯୋଗ୍ୟ, ଜିହାବ୍‌ ପିନ୍ଧି ପ୍ରାୟ ୪୦ଜଣ ଛାତ୍ରୀ କର୍ଣ୍ଣାଟକର ଉଡୁପି ଅନ୍ତର୍ଗତ ଉପକୂଳବର୍ତ୍ତୀ ସହର କୁନ୍ଦାପୁରସ୍ଥିତ ‘ଭଣ୍ଡାର୍‌କର୍‌ସ୍‌ ଆର୍ଟସ୍‌ ଆଣ୍ଡ୍‌ ସାଇନ୍‌ସ୍‌ ଡିଗ୍ରି କଲେଜ୍‌’ର ଫାଟକରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଜିହାବ୍‌ ନ ‌ଓହ୍ଲାଇଲେ ଭିତରକୁ ଛାଡ଼ିବେ ନାହିଁ ବୋଲି କଲେଜର କର୍ମଚାରୀମାନେ କହିବାରୁ ଶୁକ୍ରବାର ଦିନ ମଧ୍ୟ ଉକ୍ତ ଛାତ୍ରୀମାନେ କ୍ଲାସ୍ କରି ପାରି ନ ଥିଲେ।

ସମ୍ବନ୍ଧିତ ଖବର