ନୂଆଦିଲ୍ଲୀ/ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଦର୍ପଣଗଡ଼ ଗ୍ରାମରୁ ଚୋରି ହୋଇଥିବା ଅଷ୍ଟଧାତୁ ନିର୍ମିତ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଖୁବ୍ଶୀଘ୍ର ଦର୍ପଣଗଡ଼ ଗ୍ରାମକୁ ଫେରିବ। ଆଜି ନୂଆଦିଲ୍ଲୀଠାରେ ଯାଜପୁରରୁ ଯାଇଥିବା ଟିମ୍କୁ ମୂର୍ତ୍ତି ହସ୍ତାନ୍ତର କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୀମା ଶୁଳ୍କ କାର୍ଯ୍ୟାଳୟର ମୁଖ୍ୟ ଆୟୁକ୍ତ ଜମନ ଜସ ଓ ପ୍ରତ୍ନତତ୍ତ୍ବ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ମୂର୍ତ୍ତିକୁ ଯାଜପୁର ଜିଲ୍ଲା ପୁଲିସ ମୁଖ୍ୟାଳୟର ଦୁଇ ପୁଲିସ ଅଧିକାରୀ, ବଡ଼ଚଣା ଥାନା ଏସ୍ଆଇ ସୁବାସ ଚନ୍ଦ୍ର ମୁଦୁଲି ଓ ଦର୍ପଣ ସରପଞ୍ଚ ରଞ୍ଜନ କୁମାର ଦାସଙ୍କ ସମେତ ଟିମ୍ ସଦସ୍ୟଙ୍କୁ ହସ୍ତାନ୍ତର କରିଛନ୍ତି। ମୂର୍ତ୍ତି ହସ୍ତାନ୍ତର ହୋଇଥିବା ଜଣାପଡ଼ିବା ପରେ ଆଜି ଦର୍ପଣଗଡ଼ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଆସନ୍ତାକାଲି ଏହି ପ୍ରତିନିଧି ଦଳ ମା’ କୋଟ୍ରାକ୍ଷୀ ମୂର୍ତ୍ତିକୁ ଧରି ନୂଆଦିଲ୍ଲୀରୁ ବଡ଼ଚଣା ଅଭିମୁଖେ ଯାତ୍ରା କରିବେ ବୋଲି ଟିମ୍ ସଦସ୍ୟଙ୍କଠାରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ ୨୦୨୧ ଜାନୁଆରି ୧୧ ତାରିଖ ରାତିରେ ଦର୍ପଣଗଡ଼ ଗ୍ରାମରୁ ମା’ କୋଟ୍ରାକ୍ଷୀଙ୍କ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା। ଏ ସଂକ୍ରାନ୍ତରେ ବଡ଼ଚଣା ଥାନାରେ ଜାନୁଆ୧୨ ତାରିଖରେ ୧୪/୨୦୨୧ ରେ ଏକ ମାମଲା ରୁଜୁ ହୋଇଥିଲା। ଘଟଣାର ଗୁରୁତ୍ବ ଦୃଷ୍ଟିରୁ ତତ୍କାଳୀନ ଯାଜପୁର ଏସ୍ପି ରାହୁଲ ପିଆର ଦୁଇଥର ଘଟଣାସ୍ଥଳକୁ ଯାଇ ମାମଲା ସଂପର୍କରେ ବୁଝିଥିଲେ। ଏହାସତ୍ତ୍ବେ ମୂର୍ତ୍ତିର ସନ୍ଧାନ ମିଳିନଥିଲା। ପ୍ରାୟ ଦୁଇବର୍ଷ ବିତିଯିବା ପରେ ମଧ୍ୟ ଚୋରି ମୂର୍ତ୍ତି ଉଦ୍ଧାର ନହେବାରୁ ଗ୍ରାମବାସୀ ନିରାଶ ହୋଇ ମନ୍ଦିର ନିକଟରେ ଧାରଣାରେ ବସିଥିଲେ। ଶେଷରେ ମା’ଙ୍କର ଅନ୍ୟଏକ ମୂର୍ତ୍ତି ଗଢ଼ି ମନ୍ଦିରରେ ସ୍ଥାପନ କରିବା ସହ ପୂଜାର୍ଚ୍ଚନା କରିଆସୁଥିଲେ। ଏହା ଭିତରେ ଦୁର୍ବୃତ୍ତମାନେ ମା’ କୋଟ୍ରାକ୍ଷୀଙ୍କ ମୂର୍ତ୍ତିକୁ ବିଦେଶକୁ ଚାଲାଣ କରିବାକୁ ଉଦ୍ୟମ କରୁଥିଲାବେଳେ ୨୦୨୨ ନଭେମ୍ବରରେ ଦିଲ୍ଲୀ ବିମାନ ବନ୍ଦରରେ ସୀମା ଶୁଳ୍କ ଅଧିକାରୀଙ୍କ ଦ୍ୱାରା ଧରାପଡ଼ିଥିଲା। ମୂର୍ତ୍ତି ଜବତ ହୋଇ ବିମାନବନ୍ଦରରେ ରହିଥିଲେ ବି ଫେରିପାରି ନଥିଲା। ଏ ସଂପର୍କରେ ବଡ଼ଚଣା ବିଜେପି ନେତା ଅମର ନାୟକ ଗତ ଜୁଲାଇ ମାସରେ ଦିଲ୍ଲୀ ଯାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରି ମା’ଙ୍କ ମୂର୍ତ୍ତି ଫେରିବା ଦିଗରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏନେଇ ଜୁଲାଇ ୧୪ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଥିଲେ। ଏହାପରେ ସୀମାଶୁଳ୍କ ବିଭାଗ ଅତିରିକ୍ତ ଆୟୁକ୍ତ ଭି ରବିକୁମାର ମୂର୍ତ୍ତି ସମ୍ପର୍କରେ ସବିଶେଷ ତଥ୍ୟ ହାସଲ ପାଇଁ ଦର୍ପଣ ଗ୍ରାମ ଓ ବଡ଼ଚଣା ଥାନାକୁ ଆସି ଅନୁଧ୍ୟାନ କରିଥିଲେ। ଦର୍ପଣ ସରପଞ୍ଚ, ସ୍ଥାନୀୟ ଜନସାଧାରଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରିଥିଲେ। ଜବତ ମୂର୍ତ୍ତି ଦର୍ପଣଗଡ଼ର ମା’ କୋଟ୍ରାକ୍ଷୀଙ୍କ ବୋଲି ରିପୋର୍ଟ ଦେଇଥିଲେ। ରିପୋର୍ଟ ପାଇବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଗତ ୩୧ ତାରିଖରେ ମା’ଙ୍କ ମୂର୍ତ୍ତି ଦର୍ପଣଗଡ଼କୁ ନେବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖିଥିଲେ। ଓଡ଼ିଶା ପୁଲିସ ଡିଜିଙ୍କୁ ମଧ୍ୟ ମୂର୍ତ୍ତି ଫେରାଇନେବାକୁ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ। ଶେଷରେ ଆଜି ଯାଜପୁରରୁ ଯାଇଥିବା ପ୍ରତିନିଧି ଦଳକୁ ମୂର୍ତ୍ତି ହସ୍ତାନ୍ତର କରାଯାଇଛି।